ସର୍ବଜିତଙ୍କ ଡିଫେନ୍ସ ଏକାଡେମୀ: ବିନା ପ୍ରାପ୍ୟରେ ଦେଶ ପାଇଁ ଯବାନ ଗଢ଼ୁଛନ୍ତି ସିଆରପିଏଫ୍ ଯବାନ

ଯାଜପୁର( ଗୁଲାମ ଗସ୍)‌ : ଓଡ଼ିଆ ପୁଅଙ୍କ ହୁଙ୍କାର ବାଣୀରେ ଶତ୍ରୁପକ୍ଷ ଥରହର ହେବ। ମାତୃଭୂମିର ମାନ ପାଇଁ ଜନ୍ମ ନେଇଥିବା ବୀର ଦେଶ ଓ ଜାତି ପାଇଁ ଶେଷ ରକ୍ତବିନ୍ଦୁ ଥିବା ଯାଏଁ ଲଢ଼ିବେ। ବୀର ଆମର ରଚିବେ ଆଉ ଏକ ବୀରଗାଥା। ଆମ ଯୁବକଙ୍କ ଭିତରେ ମଧ୍ୟ ସେହି ଶକ୍ତି ଅଛି, ସୀମାରେ ଦେଶ ପାଇଁ ଲଢ଼ିବାର ତାକତ। ହେଲେ ସେମାନଙ୍କୁ ସଠିକ ରାସ୍ତାରେ ନେବାକୁ ପଡ଼ିବ। ଆଉ ଫିଟନେସ୍ ଟ୍ରେନିଂ ଦେବାକୁ ପଡ଼ିବ। 

ଦେଶର ସୁରକ୍ଷା ପାଇଁ ରହିଛି ସମସ୍ତଙ୍କର କର୍ତବ୍ୟ । ଆଗାମୀ ଯୁବପିଢୀ ଏନେଇ ଉଚିତ ମାର୍ଗ ପାଇବାର ଆବଶ୍ୟକତା ରହିଛି। ସେନାରେ ଭର୍ତ୍ତି ହେବା ପାଇଁ ସେମାନଙ୍କୁ ସଠିକ ଭାବରେ ପ୍ରଶିକ୍ଷଣ ମିଳିପାରିଲେ ଅଧିକରୁ ଅଧିକ ଯୁବକ ଦେଶ ପାଇଁ କାମ କରିପାରିବେ। ଏହି କଥାକୁ ବୁଝିଛନ୍ତି ଯାଜପୁର ଜିଲ୍ଲାର ଆଦର୍ଶ ଯୁବକ ସର୍ବଜିତ୍। ସେ ଓଡ଼ିଶାର ଯୁବକମାନଙ୍କୁ ମାଗଣାରେ ଟ୍ରେନିଂ ଦେବାକୁ ଖୋଲିଛନ୍ତି ଏକ ଏକାଡେମୀ। କିପରି ନୂଆ ସୈନିକ ସୃଷ୍ଟି ହେବେ ସେ ନେଇ ପ୍ରୟାସ ଜାରି ରଖିଛି ଯାଜପୁର ଜିଲ୍ଲା ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍ ଏକାଡେମୀ ।

ଚାଲିଛି ଦୈାଡକୁଦ ସାଙ୍ଗକୁ ବ୍ୟାୟାମ। ସେନାରେ ଭର୍ତ୍ତ ହେବା ପାଇଁ ଯାଜପୁର ଜିଲ୍ଲା ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ଫିଟନେସ୍ ଟିପସ୍ ସହ ଦିଆଯାଉଛି ତାଲିମ । ଜାରକା ଅଂଚଳର ଓମ ସ୍ପେଶାଲ ଡିଫେନସ୍ ଏକାଡେମୀ ପକ୍ଷରୁ ଯୁବକଙ୍କୁ ଦିଆଯାଉଛି ତାଲିମ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦ରୁ ଅଧିକ ଯୁବକ ଏଠାରେ ତାଲିମ ନେଉଛନ୍ତି। ସେମାନଙ୍କୁ ତାଲିମ ଦେଉଛନ୍ତି ସିଆରପିଏଫ୍ ଯବାନ ସର୍ବଜିତ୍ ସ୍ୱାଇଁ। ସର୍ବଜିତ୍ ନିଜର ଅଭିଜ୍ଞତାକୁ ବ୍ୟବହାର କରି କିପରି ଯୁବକମାନେ ସଠିକ ପ୍ରଶିକ୍ଷଣ ନେଇ ସେନାରେ ଭର୍ତି ହୋଇପାରିବେ ସେ ନେଇ ଅହରହ ଉଦ୍ୟମ ଚଳାଇଛନ୍ତି। ଏଠାରେ ପ୍ରଶିକ୍ଷଣ ନେବାକୁ ଆସିଥିବା ଯୁବକମାନେ ମଧ୍ୟ ତାଲିମ ନେଇ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି ।

ବିନା ପ୍ରାପ୍ୟରେ ଏହି ଏକାଡେମୀ ଯୁବକମାନଙ୍କୁ ତାଲିମ ଦେଉଛି। ବିଭିନ୍ନ ଜିଲ୍ଲାରୁ ଆସି ଏଠାରେ ପ୍ରଶିକ୍ଷଣ ନେଉଥିବା ଯୁବକମାନେ କେବଳ ନିଜର ରହିବା ଓ ଖାଇବା କଥା ନିଜେ ବୁଝୁଛନ୍ତି।  ପ୍ରତିଦିନ ଭୋର ସମୟରେ ଯୁବକମାନେ ଷ୍ଟାଡିୟମକୁ ଆସି ବିନା ମୂଲ୍ୟରେ ସେନାରେ ଭର୍ତି ହେବା ପାଇଁ ତାଲିମ ନେଉଛନ୍ତି। ଶାରିରୀକ, ମାନସିକ ସ୍ତରରେ ଯୁବକମାନେ କିପରି ଦୃଢ ପରିକର ହେବେ ସେ ନେଇ ମଧ୍ୟ ବିଭିନ୍ନ କୌଶଳ ଶିଖାଯାଉଛି।

ସେନାରେ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବା ବେଳେ ଆବଶ୍ୟକୀୟ ତାଲିମ ଅଭାବରୁ ସେମାନେ ପଛରେ ପଡିଯାଉଛନ୍ତି। ଏଠାରେ ସଠିକ ତାଲିମ ପାଇ ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଉଥିବା ବେଳେ ଏଠାରୁ ତାଲିମ ପାଇଁ ଅନେକ ପୁଲିସ ଓ ସେନାରେ କାର୍ଯ୍ୟ କରୁଛନ୍ତି। ଆର୍ମିରେ ଭର୍ତ୍ତି ହେବାପରେ ସ୍ୱଇଛାରେ ଦେଉଥିବା ଅର୍ଥରେ ଏକାଡେମୀ ପରିଚାଳିତ ହେଉଛି ବୋଲି ଏକାଡେମି ପକ୍ଷରୁ କୁହାଯାଇଛି।

You might also like