ଛିନତାଇ ରୋକିବ ସ୍ପେଶାଲ ଟିମ୍
ସ୍ପେଶାଲ ଟିମ୍ ଗଠନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା
ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସର ନିଯୁକ୍ତ ହେବେ
ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ
ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ

ଭୁବନେଶ୍ୱର(ଆଲୋକ ମହାନ୍ତି) : ରାଜଧାନୀରେ  ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ‌ରୁ ଲୋକଙ୍କଠୁ ମୋବାଇଲ୍‌ ହେଉ କି ଚେନ୍‌ ଲୁଟ୍‌ କରୁଥିବା ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଉ ଯାଉଥିବା ବେଳେ ଲୁଟ୍‌ ସାମଗ୍ରୀ କିମ୍ବା ଲୁଟେରାଙ୍କୁ ଧରିବା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ଏଥିଯୋଗୁଁ ରାଜଧାନୀ ବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏପରି ସ୍ଥଳେ ଅପରାଧ ରୋକିବା ପାଇଁ ତଥା ଅପରାଧୀଙ୍କୁ କାବୁ କିରବାକୁ  କମିସନରେଟ୍ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ‘ସ୍ପେଶାଲ ୨୬’ ଗଠନ କରାଯାଇଛି।

ରାଜଧାନୀରେ ବଢିଚାଲିଥିବା ଲୁଟ୍‌ ଓ ଛିନ୍‌ତାଇ ଅପରାଧ ରୋକିବାକୁ ସ୍ପେଶାଲ ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଅପରାଧ ତଦନ୍ତ ପାଇଁ ଏହି ଟିମ ସ୍ୱତନ୍ତ୍ର ଭାବେ କାମ କରିବ ।  ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସରଙ୍କ ସମେତ ଏହି ଟିମରେ ୪ଜଣ କନଷ୍ଟେବଲ ରହିବେ । ଏହି ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ । ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ । ଏଥି ଟିମ ଉପରେ ସିଧାସଳଖ ନଜର ରଖିବେ ଡିସିପି ।  କିଛି ମାସ ମଧ୍ୟରେ ଏହି ଟିମ୍ ଅପରାଧିକ ଘଟଣା ଉପରେ ରୋକ୍ ଲଗାଇବାରେ ସହାୟକ ହେବ। ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ବର୍ତ୍ତମାନ ପ୍ରତିଦିନ ଏପରି କିଛି କିଛି ଅପରାଧୀଙ୍କୁ ଗିରଫ କରାଯାଉଛି। ତେବେ କେହି ଏପରି ଅପରାଧୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ  ୧୦୦କୁ ଡାଏଲ କରି ଜଣାନ୍ତୁ ବୋଲି କହିଛନ୍ତି ଡିସିପି । ତାଙ୍କ ଉପରେ ନଜର ରଖିବା ପାଇଁ  ନିୟମିତ ଡାଟାବେସ ଅପଡେଟ ହେଉଛି । ଜେଲରୁ ବାହାରିବା ପରେ ତାଙ୍କ ଉପରେ ନଜର ମଧ୍ୟ ରଖାଯାଉଛି।  ଆବଶ୍ୟକ ପଡିଲେ ପେସାଦାର ଅପରାଧି ଜେଲରୁ ଫେରି ଅପରଧରେ ସମ୍ପୃକ୍ତ ଥିବାର ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

Other Stories