ବିଜେଡି ବିରୋଧୀ ମହାମେଣ୍ଟରେ ସାମିଲ୍‌ ହେବେ ଏମାନେ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବ ନୂଆ ରାଜନୈତିକ ସମୀକରଣ। ଗଠନ ହେବ ମହାମେଣ୍ଟ। ବିଜେଡି ବିରୋଧରେ ଏକାଠି ହେବେ କିଛି ଆଞ୍ଚଳିକ ଦଳ ଓ ବରିଷ୍ଠ ନେତା। ଏଭଳି ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ।

ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ ସ୍ୱାଇଁ, ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ଭେଟେରାନ୍ ନେତାଙ୍କୁ ନେଇ ଏହି ମହାମେଣ୍ଟ ଗଠନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଖାରବେଳ। ହେଲେ ବିଜେଡି ଯିବା ନେଇ ଚର୍ଚ୍ଚା ଚାଲିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ଏହି ନୂଆ ସମୀକରଣରେ ସାମିଲ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଯଦି ଏହି ସାମ୍ମୁଖ୍ୟ ହୁଏ, ତେବେ ତାହା କଂଗ୍ରେସ ସହ ବୁଝାମଣା କରିବ ନାହିଁ। ଆଉ ବିଜେପି, ବିଜେଡି ବିରୋଧରେ ଆଭିମୁଖ୍ୟ କଠୋର କଲେ ବିଚାର କରାଯାଇପାରେ। କିନ୍ତୁ ଏପର୍ଯ୍ୟନ୍ତ ବିଜେପି ସହ ଆଲୋଚନା କରାଯାଇ ନାହିଁ ବୋଲି ଖରାବେଳ ସଂକେତ ଦେଇଛନ୍ତି। ଯଦି ଏହି ମହାମେଣ୍ଟ ହୁଏ, ତେବେ

ଏହା ଦୁର୍ନୀତି, ଭ୍ରଷ୍ଟାଚାରକୁ ଆୟୁଧ କରି ବିଜେଡି ବିରୋଧରେ ଲଢ଼ିବ ବୋଲି ଖାରବେଳ କହିଛନ୍ତି।

ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାରେ ଭ୍ରଷ୍ଟାଚାର, ହିଂସାକାଣ୍ଡ ବଢ଼ୁଛି। ଏସବୁ ବିରୋଧରେ ଯିଏ ଲଢ଼ିବ ତାକୁ ସେ ସହଯୋଗ ଦେବେ ବୋଲି ବୈଜୟନ୍ତ କହିଛନ୍ତି। ଆଗାମୀ ୭ ତାରିଖରେ ତାଙ୍କ ବହି ଉନ୍ମୋଚନ ପରେ କିଛି ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ବୈଜୟନ୍ତ।

ତେବେ ମହାମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳ କହିଛି, ବିଜେଡିରୁ ଯେଉଁମାନେ ଯାଇଛନ୍ତି ସେମାନେ ତିଷ୍ଠି ପାରିନାହାଁନ୍ତି। ମହାମେଣ୍ଟ କଲେ ମଧ୍ୟ ତାର କିଛି ପ୍ରଭାବ ରହିବ ନାହିଁ ବୋଲି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି। ବିଜେପି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଥିବା ବେଳେ ରାଜନୈତିକ ସମୀକ୍ଷକ କହିଛନ୍ତି, ମହାମେଣ୍ଟ ହେଲେ ବିଜେଡି ପାଇଁ ଅଡୁଆ ସୃଷ୍ଟି ହେବ।

ରାଜ୍ୟରେ ଏବେ ବିଜେଡି ବିରୋଧରେ ଜନ ଅସନ୍ତୋଷ ବଢ଼ିବାର ଲାଗିଛି। ତେଣୁ ମହାମେଣ୍ଟ ଏଥିରୁ କେତେ ଜନସମର୍ଥନ ଜୁଟାଇ ଆଗକୁ ବଢ଼ୁଛି, ଓ ଏଥିରେ କେଉଁ ସବୁ ନେତା ସାମିଲ୍ ହେଉଛନ୍ତି, ତା ଦେଖିବା ବାକି ରହିଲା।

You might also like