ପ୍ରତାରକ ଏସଆଇଙ୍କୁ ନିଲମ୍ବିତ କଲେ ଏସପି

ଖଲ୍ଲିକୋଟ: ପୁଣି ଖାକିରେ ଦାଗ। ଜଣେ ଏସ୍ଆଇଙ୍କ ବିରୋଧରେ ଆସିଛି ଲଭ-ସେକ୍ସ-ଧୋକ୍କା ଅଭିଯୋଗ। ପ୍ରେମ ପ୍ରତାରଣାର ଅଭିଯୋଗ ପରେ ଗଞ୍ଜାମ ଖଲ୍ଲିକୋଟ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପୀଡିକାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଏସ୍‌ପି। ନିଲମ୍ବନ ପୂର୍ବରୁ ଟୁନାଙ୍କୁ ଗିରଫ କରିଥିଲା ପୋଲିସ।

ଅଭିଯୋଗ ଅନୁଯାୟୀ, ଗତ ୨୦୧୭ରେ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଭୁବନେଶ୍ୱରଠାରେ ଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ପ୍ରୋବେଶନାରୀ ଅଫିସର ଭାବେ ତାଲିମ ନେଉଥିଲେ। ଏହି ସମୟରେ ଭୁବନେଶ୍ୱରର ଜଣେ ଯୁବତୀଙ୍କ ସଂସ୍ପର୍ଶରେ ସେ ଆସିଥିଲେ।

ପରେ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀ ଜଣକ ତାଙ୍କୁ ବାରମ୍ବାର ବିବାହ ପାଇଁ ପ୍ରସ୍ତାବ ଦେବା ବେଳେ ଟୁନା ବିଭିନ୍ନ ଆଳ ଦେଖାଇ ଆସୁଥିଲେ।

ଶେଷରେ ଟୁନା ଆଉ ଏକ ସ୍ଥାନରେ ବିବାହ କରିବାକୁ ଜାଣି ପୀଡିତା ଜଣଙ୍କ ତାଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଶେଷରେ ଯୁବତୀ ଜଣକ ଗଞ୍ଜାମ ଏସପିଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ।

ଉକ୍ତ ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ଯୁବତୀ କହିବାନୁସାରେ ‘୨୦୧୭ରୁ ତାଙ୍କର ଟୁନା ପିଡ଼ିକାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୨୦୧୮ ମସିହାରେ ନିଜ ଘରେ ଟୁନା ପିଡ଼ିକା ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିଛନ୍ତି।

୨୦୧୯ ଏପ୍ରିଲ ମାସ ପର୍ଯ୍ୟନ୍ତ ଏଭଳି ସମ୍ପର୍କ ରଖି ଆସିଛନ୍ତି। ଯୁବତୀ ଜଣକ ତାଙ୍କୁ ବାରମ୍ବାର ବିବାହ କରିବା ପାଇଁ ପ୍ରସ୍ତାବ ଦେବା ବେଳେ ଫାଣ୍ଡି ଅଧିକାରୀ ନିଜ ଭଉଣୀର ବିବାହ ହେବା ପରେ ତାଙ୍କୁ ବିବାହ କରିବାର ଆଳ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।’

You might also like