ରିଲିଫ କ୍ୟାମ୍ପରେ ଦୀପାବଳି ପାଳିଲେ ଏସ୍‌ପି

ପାରଳାଖେମୁଣ୍ଡି: ସମସ୍ତେ ତ ପାଳୁଥିଲେ ଦୀପାବଳି। ହେଲେ ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦୀପାବଳି ଥିଲା ନିଆରା। ବାଣ ଫୁଟାଇଲେ, ମିଠା ଖୁଆଇଲେ ହେଲେ ନିଜ ଘରେ ପରିଜନଙ୍କ ଗହଣରେ ନୁହେଁ, ରିଲିଫ କ୍ୟାମ୍ପରେ।

ଗତ ଲଗାଣବର୍ଷାରେ ଗଜପତି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ହଜାର ହଜାର ଲୋକ ବାସହରା ହୋଇଛନ୍ତି। ସବୁକିଛି ହରାଇବା ପରେ ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତର କୁଲଙ୍ଗ ଗାଁର ଲୋକେ ଏବେ ସରକାର ରିଲିଫ କ୍ୟାମ୍ପରେ ଅଛନ୍ତି । ସାରା ଦେଶ ଆଲୋକର ପର୍ବ ପାଳନ କରୁଥିବାବେଳେ ଏମାନ ଦୁଃଖରେ ରହିଥିବା ଜାଣି ସେମାନଙ୍କ ମନବଳ ବଢାଇବା ପାଇଁ ପହଞ୍ଚିଥିଲେ ଏସ୍‌ପି ସାରା ଶର୍ମା। ସେଠାରେ ବିପନ୍ନଙ୍କ ସହ ପାଳିଥିଲେ ଦୀପାବଳି।   କ୍ଷତିଗ୍ରସ୍ତଙ୍କୁ ମିଠା ବଣ୍ଟନ କରିବା ସହ ପୋଷାକ ବଣ୍ଟନ କରିଥିଲେ। ଏପରିକି ବିପନ୍ନଙ୍କ ସହ ହାତରେ ହାତ ଛନ୍ଦି ଏସ୍‌ପି ନାଚିଥିବା ଦେଖିବାକୁ ମିଳିଥିଲା।

ବିପନ୍ନ ଲୋକମାନେ ନିଜ ବାସଗୃହ, ଜୀବିକା ହରାଇ ଖୁବ୍‌ ଦୁଃଖରେ ଥିଲେ, ତାଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ଏପରି କରିଥିବା କହିଛନ୍ତି ଏସ୍‌ପି।

ଯାହା ବି ହେଉ, ଏସ୍‌ପିଙ୍କ ଏପରି କାମ ଦେଖି ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି।

 

You might also like