ଦକ୍ଷିଣ ଆଫ୍ରିକା ଫେରନ୍ତା ଗଞ୍ଜାମ ବ୍ୟକ୍ତି କରୋନା ପଜିଟିଭ୍

ଭୁବନେଶ୍ୱର: ଗଞ୍ଜାମକୁ ଫେରିଥିବା ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଶରୀରରେ ଥିବା ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠା ଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସମ୍ପୃକ୍ତ ବ୍ୟକ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ସୂଚନା ମିଳିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ଭୂତାଣୁର ଅନୁଧ୍ୟାନ ପାଇଁ ILS ପଠାଯାଇଥିଛି। ତେବେ ରିପୋର୍ଟ ଆସିବା ପରେ ଷ୍ଟ୍ରେନ୍ ନେଇ କହିହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ସହ ଓଡ଼ିଶା ଫେରିଥିବା ପରିବାର ସଦସ୍ୟ ହୋମ୍ ଆଇସୋଲେସନ ଅଛନ୍ତି।

ଗତକାଲି ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ୧୧ ହଜାର ୨୮୯ ଜଣଙ୍କୁ କୋଭିଡ୍ ଟିକାକରଣ କରାଯାଇଛି। ସେହିପରି ବହୁବିଧ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ୫୯ ବର୍ଷ ଯାଏ ୩ ଶହ ବ୍ୟକ୍ତି କରୋନା ଟିକା ନେଇଛନ୍ତି। ଗତକାଲି ମୋଟ ୧୧ ହଜାର ୫୮୯ ଜଣଙ୍କୁ ଟିକା ଦିଆଯାଇଛି। ତେବେ କାହାର ବି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଆଜି ବି ଟିକାକରଣ ରାଜ୍ୟରେ ଭଲ ଭାବେ ଚାଲିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଟିକାକରଣ ହୋଇଛି।

ଯିଏ ଅନ୍‌ଲାଇନ୍‌ ପଞ୍ଜୀକରଣ କରି ନାହାନ୍ତି ସେମାନେ ଟିକାକରଣ କେନ୍ଦ୍ର ଯାଇ ପଞ୍ଜୀକରଣ କରି ଟିକା ନେଇ ପାରିବେ। ସହର ଗୁଡ଼ିକରେ ସପ୍ତାହରେ ୫ ଦିନ ଟିକାକରଣ ହେବ। ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଦିନ ଟିକାକରଣ କରାଯିବ।

You might also like