ଦଳରେ ରହିଛି ବୋଲି ସବୁ ଘଟଣାକୁ ଠିକ୍ କହିବା ଅଭ୍ୟାସ ମୋର ନାହିଁ-ସୌମ୍ୟ
ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଛି। ନିମ୍ନସ୍ତରରେ ଏହାର ସମାଧାନ ହୋଇପାରିଥାନ୍ତା। ହେଲେ ସେପରି ହୋଇ ନାହିଁ ବୋଲି ଆଜି ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସରକାରୀ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।
କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି, ତଳ ସ୍ତରରେ ପ୍ରଶାସନିକ ଅଧିକାରୀ ପ୍ରସଙ୍ଗକୁ ଅବହେଳା କରିଛନ୍ତି। ବିଳମ୍ବରେ ହେଉ ପଛେ ଓଡ଼ିଶା ସରକାର କୋର୍ଟଙ୍କୁ ଯାଇଛନ୍ତି। ଏବେ ଅଦାଲତଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା।
ସୂଚନାଥାଉ କି, କିଛି ଦିନ ପୂର୍ବେ ଓଡ଼ିଶା ସୀମା ଡେଇଁ ଆନ୍ଧ୍ରପ୍ରଦେଶ ଗଜପତି, ମାଲକାନଗିରି, କୋରାପୁଟର ବିଭିନ୍ନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏହି କ୍ଷେତ୍ରରେ ପ୍ରଶାସନିକ ଅବହେଳା କରାଯାଇଥିବା ସ୍ୱୀକାର କରିଛନ୍ତି ଖଣ୍ଡପଡ଼ା ବିଧାୟକ।
ନରସିଂହ କହିଛନ୍ତି, ବିଧାନସଭାରେ ଏହି ସମାନ କଥା ସୌମ୍ୟ କୁହନ୍ତୁ। ସରକାରଙ୍କ ଅପରଗତା ଯୋଗୁଁ କୋଟିଆରେ ଆନ୍ଧ୍ର ସହ ସୀମା ବିବାଦ ଦେଖା ଦେଲା। ଯାହା ସୌମ୍ୟଙ୍କ ବୟାନରୁ ପ୍ରମାଣିତ ବୋଲି ସେ ଦୋହରାଇଛନ୍ତି। ବିଜେପି ବି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛିା
ଅନ୍ୟପକ୍ଷେ ସୌମ୍ୟଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ୍ ମାର୍ଣ୍ଡି। ସେ କହିଛନ୍ତି, କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି।