ଟାୟାର୍‌ ଭିତରେ ଲୁଚି ଥିଲା ଯମ

କାଳ ହେଲା ମାଆର ମାଡ଼

  • ୮ ବର୍ଷର ଶିଶୁକନ୍ୟା ପାଇଁ କାଳ ହେଲା ମାଆର ମାଡ଼
  • ଭୟରେ ଟାୟାର ଭିତରେ ଲୁଚିଥିବା ବେଳେ ଚଢିଗଲା ଜେସିବି
  • ଅଘଟଣକୁ ନେଇ ବାଲେଶ୍ୱର ଆଙ୍ଗୁଳା ଗାଁରେ ଶୋକାକୂଳ ପରିବେଶ
  • ଛୁଆଙ୍କୁ ଆକଟ ବଦଳରେ ମନାଇବା ସପକ୍ଷରେ ମନସ୍ତତ୍ତ୍ୱବିତ୍

ବାଲେଶ୍ୱର: କାଳ ହେଲା ମାଆର ଚାପୁଡା। ମାଡ଼ ଭୟରେ ଲୁଚି ଆରପାରିକୁ ଚାଲିଗଲା ୮ ବର୍ଷର ଝିଅ ଆଶା। ବାଲେଶ୍ୱର ଜିଲ୍ଲା ସୋର ଆଙ୍ଗୁଳା ଗାଁରେ ଘଟିଛି ଏଭଳି ଏକ ଅଘଟଣ। ଯାହାକୁ ବିଶ୍ୱାସ କରିବା ବି କଷ୍ଟ। ମାଆର ମାଡ଼ ଭୟରେ ଟ୍ରାକ୍ଟର ଚକା ଭିତରେ ଲୁଚିଥିବା କୁନି ଝିଅଟି ଉପରେ ଜେସିବି ମେସିନ ଚଢି ଯିବାରୁ ତାର ମୃତ୍ୟୁ ଘଟିଛି।

ମୃତ୍ୟୁ କେମିତି, କେତେବେଳେ ଓ କେଉଁ ରୂପରେ ଆସିବ? କାହାକୁ ଜଣାନଥାଏ। ତେବେ ବେଳେବେଳେ ମୃତ୍ୟୁ ଏମିତି ଢଙ୍ଗରେ ଆସେ ଯାହା ମଣିଷକୁ ବ୍ୟସ୍ତବିବ୍ରତ କରିଦିଏ। ହେଲେ ବି ମଣିଷ ସେ ଘଟଣାକୁ ବାରମ୍ବାର ମନେ ପକାଇବାକୁ ବାଧ୍ୟ ହୁଏ। ଏଇ ଯେମିତି ବାଲେଶ୍ୱର ଜିଲ୍ଲା ସୋର ଆଙ୍ଗୁଳା ଗାଁର ୮ ବର୍ଷର ଶିଶୁକନ୍ୟା ଆଶା ବିନ୍ଧାଣୀ। ଖାଇବା ବେଳେ ଅଝଟ ହେବାରୁ ଚାପୁଡ଼ାଏ ଦେଇଥିଲେ ମାଆ। ମାଆ କାଳେ ଆଉ ମାରିବ ସେଇ ଭୟରେ ଘର ନିକଟ କ୍ରସର ଖଣିରେ ପଡିଥିବା ଏକ ବଡ଼ ଟାୟାର ଭିତରେ ଲୁଚି ଯାଇଥିଲା ଆଶା। ତେବେ ସତେ ଯେମିତି ସେଠି ମୃତ୍ୟୁ ତାକୁ ଅପେକ୍ଷା କରିଥିଲା। ଟାୟାର ଭିତରେ ଲୁଚି ଥିବା ଅବସରେ ତା ଉପରେ ଚଢି ଯାଇଥିଲା ଏକ ଜେସିବି ମେସିନ। ଘଟଣାସ୍ଥଳରେ ହିଁ ଉଡି ଯାଇଥିଲା ଆଶାର ପ୍ରାଣ ବାୟୁ।

ଏଭଳି ଏକ ହୃଦୟ ବିତାରକ ଘଟଣାକୁ ନେଇ ଆଙ୍ଗୁଳା ଗାଁରେ ଖେଳିଯାଇଛି ଶୋକର ଛାୟା। ତେବେ କୋମଳମତି ପିଲାଙ୍କ ପ୍ରତି ଅଭିଭାବକଙ୍କ ଏତାଦୃଶ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନସ୍ତତ୍ତ୍ୱବିତ୍। କୋମଳମତି ଶିଶୁଙ୍କ ମନରେ ଭୟ ସଞ୍ଚାର ନକରି, ସେମାନଙ୍କୁ ସ୍ନେହ ଓ ଶ୍ରଦ୍ଧାର ସହ ଲାଳନପାଳନ ଉପରେ ମନସ୍ତତ୍ତ୍ୱବିତ୍ ଗୁରୁତ୍ୱ ଦେଇଛନ୍ତି।

କେବଳ ଆଶା ବିନ୍ଧାଣୀ ନୁହେଁ। ବାପା-ମାଆଙ୍କ ଦାୟିତ୍ୱହୀନତା କାରଣରୁ ଛୋଟ ପିଲାମାନେ ବିପଦରେ ପଡିବା ଘଟଣା ବଢି ବଢିଚାଲିଛି। କେବଳ ଦୁର୍ଘଟଣା ନୁହେଁ ଅଭିଭାବକ ପିଲାଙ୍କ ଉପରେ ନଜର ନଖିବା କାରଣରୁ ପିଲାମାନେ ହତ୍ୟା ଓ ଦୁଷ୍କର୍ମ ଭଳି ଅପରାଧର ଶିକାର ବି ହେଉଛନ୍ତି। ସେଦୃଷ୍ଟିରୁ ଅଭିଭାବକମାନେ ପିଲାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। ଯାହାଦ୍ୱାରା ପିଲାମାନଙ୍କ ରହ ହେଉଥିବା ଦୁର୍ଘଟଣା ମଧ୍ୟ କମିବ।

ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ

You might also like