ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

ସୋନପୁର : ଭୁଲ ଇଞ୍ଜେକସନ୍ ଯୋଗୁଁ ୫ ବର୍ଷୀୟ ଶିଶୁର ମୃତ୍ୟୁ ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ଗାଁରେ। ଗାଁର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନଙ୍କୁ କୋଟସମଲାଇ ମେଡିକାଲର ଫାର୍ମାସିଷ୍ଟ ଏକ ଇଞ୍ଜେକସନ୍ ଦେଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଇଞ୍ଜେକସନ୍ ଦେବା ପରେ ଚନ୍ଦନଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ତୁରନ୍ତ ପ୍ରଥମେ ଉଲୁଣ୍ଡା ଏବଂ ପରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ୍ ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।

କିଛିଦିନ ପୂର୍ବରୁ ବୁର୍ଲା କୋଭିଡ ହସ୍ପିଟାଲରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ବୁର୍ଲା ଭିମସାର କାର୍ଡିଓଲୋଜି ବିଭାଗରେ କାମ କରୁଥିବା ନର୍ସ ପୂର୍ଣ୍ଣିମା କୁମ୍ଭାର କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜଣେ ନର୍ସ ରେମଡେସିଭିର ଇଂଜେକସନ ଦେଇଥିଲେ। ଅପରାହ୍ନରେ ପୁଣି ଜଣେ ନର୍ସ ସେହି ଇଂଜେକସନ ଦେବାକୁ ଆସିଥିଲେ। ପ୍ରତିବାଦ କରିବା ସତ୍ତ୍ୱେ ଓ ଆଗରୁ ଗୋଟିଏ ରେମଡେସିଭିର ଇଂଜେକସନ ଦିଆଯାଇଥିବା କହିବା ସତ୍ତ୍ୱେ ନର୍ସ ଜଣକ କିଛି ଶୁଣି ନ ଥିଲେ ବୋଲି ପୂର୍ଣ୍ଣିମା ଅଭିଯୋଗ କରିଥିଲେ

ଇଂଜେକସନର ପୁରା ମାତ୍ରା ଯଦି ଶରୀରକୁ ଯାଇଥାନ୍ତା, ତାଙ୍କର ମୃତ୍ୟୁ ହୋଇଥାନ୍ତା ବୋଲି ପୂର୍ଣ୍ଣିମା କହିଥିଲେ । ଏହା ଜାଣିବା ପରେ ତାଙ୍କ ପରିବାର ହସ୍ପିଟାଲ ସାମ୍ନା ରୋଡରେ ଜମା ହୋଇ ଯାଇଥିଲେ। ପୋଲିସ ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଘରକୁ ଫେରିଥିଲେ। ପରେ ପୂର୍ଣ୍ଣିମାଙ୍କ ପରିବାର ଭିମସାର କର୍ତ୍ତୃପକ୍ଷଙ୍କୁ ଦେଖା କରି ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ସ୍ୱାସ୍ଥ୍ୟ ବିଭାଗର ଏଭଳି ଦାୟିତ୍ୱହୀନତା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ବିପଦମୁଖକୁ ଚାଲିଯାଉଛି। ବିଭାଗ ଏଥିପ୍ରତି ସଜାଗ ହେବା ନେଇ ସାଧାରଣରେ ଦାବି ହେଉଛି।

You might also like