ଶାଢ଼ିରେ ଶୋଭା ପାଉଛି ଅଖଣ୍ଡ ଭାରତର ମାନଚିତ୍ର

ସୋନପୁର: ବିଶ୍ୱ ପ୍ରସିଦ୍ଧ ସୁବର୍ଣ୍ଣପୁର ବାନ୍ଧ କଳାର ଆଉ ଏକ ଉତ୍କୃଷ୍ଟ ନିଦର୍ଶନ। ସୂକ୍ଷ୍ମସୂତାରୁ ଶିଳ୍ପୀ ହାତବୁଣା ଶାଢ଼ି କହୁଛି ଦେଶ ପ୍ରେମର କଥା। ଶାଢ଼ିରେ ଶୋଭା ପାଉଛି ଅଖଣ୍ଡ ଭାରତର ମାନଚିତ୍ର। ତା ସହ ୨୮ ରାଜ୍ୟର ନାଁ ଓ ସବୁ ରାଜ୍ୟର ମାନଚିତ୍ର। ବିନା ରଙ୍ଗ ଓ ବିନା ମେସିନ୍‌ର ଏ ନିଖୁଣ କାରିଗରୀର ସୃଷ୍ଟି ତନ୍ତରୁ। ବାନ୍ଧ କାରୀଗରିରେ ବିଶେଷ ନିପୁଣତା ହାସଲ କରିଥିବା ସୋନପୁର ଡୁଙ୍ଗୁରିପାଲି ସହଲା ଗାଁର ବାନ୍ଧଶିଳ୍ପୀ ଈଶ୍ୱର ମେହେରଙ୍କ ହାତରେ ଜୀବନ୍ୟାସ ପାଇଛି ଏ ସୂକ୍ଷ୍ଣ କାରୁକାର୍ଯ୍ୟପୂର୍ଣ୍ଣ ଶାଢ଼ି। ସବୁବେଳେ ବାନ୍ଧକଳାରେ ନୂଆକିଛି କରିବାର ଝୁଙ୍କ୍ ହିଁ ତାଙ୍କର ଏ ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିପାରିଛି।

ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଶାଢିରେ ଖାଲି ଦେଶର ମାନଚିତ୍ର ନୁହେଁ, ଜୟ ଯବାନ ଜୟ କିଷାନ ଏବଂ ଆଇ ଲଭ୍ ମାଇଁ ଇଣ୍ଡିଆ ଭଳି ଦେଶାତ୍ମବୋଧକ ସ୍ଲୋଗାନ୍ ବି ରହିଛି। କେବଳ ଈଶ୍ୱର ନୁହଁନ୍ତି, ଶାଢ଼ିଟି ତିଆରି କରିବାକୁ ତାଙ୍କ ପରିବାର ପ୍ରତିଟି ସଦସ୍ୟଙ୍କ ଶ୍ରମ ବି ରହିଛି। ତାଙ୍କର ଅନବଦ୍ୟ ସୃଷ୍ଟି ଶେଷ ହେବାକୁ ଲାଗିଛି।

ପ୍ରାୟ ମାସେରୁ ଅଧିକ ସମୟ ସଁପୁର ସୂତାରେ ତିଆରି ଏ ଶାଢ଼ିଟି ଯେତିକି ମୂଲାୟମ ଦେଖିବାକୁ ତାଠୁ ଆହୁରି ଆକର୍ଷଣୀୟ ହୋଇଥିବାରୁ ଏହାକୁ କିଣିବାକୁ ଏବେ ବ୍ୟବସାସୀୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ପ୍ରତିଯୋଗିତା। ସେପଟେ ବାନ୍ଧକଳାର ସବୁ ଚାତୁରୀ ଓ ଉତ୍କର୍ଷତା ଥାଇ ବି ସରକାରୀ ସହାୟତା ଅଭାବରୁ ଏମାନେ ଆଗକୁ ବଢିପାରୁନଥିବା କ୍ଷୋଭର ସହ କହନ୍ତି ଈଶ୍ୱରଙ୍କ ପରିବାର ଲୋକେ।

ରିପୋର୍ଟ: ଦିଲୀପ କୁମାର ସାହୁ
You might also like