ଦୁର୍ନୀତିର ପେଡ଼ି ଖୋଲିବାରୁ ହତ୍ୟାର ଶିକାର ହେଲେ କି କୁଳମଣି ?

ଭୁବନେଶ୍ୱର: ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଭାବରେ ପୋଲିସ ପଞ୍ଝାରେ ଅଛି କ୍ଷୀତୀଶ ଆଚାର୍ଯ୍ୟ। କିନ୍ତୁ ନୂଆବର୍ଷରେ ନୃତ୍ତାଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଇ ସେ ମାରିଥିବା ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ହେଉଛି କ୍ଷୀତୀଶ। ତେବେ ଇଏ ଯେ ଜଣେ ପକ୍କା ବିଜେଡି ସମର୍ଥକ ଓ ଆଇନ ମନ୍ତ୍ରୀଙ୍କ ନାଁରେ ଗଢ଼ା ହୋଇଥିବା ପ୍ରତାପ ବାହିନୀର ଜଣେ ଟାଣୁଆ କାର୍ଯ୍ୟକର୍ତ୍ତା, ଏହା ଏହି ପୋଷ୍ଟରରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି କୁହାଯାଉଛି। ତେଣୁ ରାଜନୈତିକ ଶତ୍ରୁତାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ଯେଉଁ ସଂଗୀନ ଅଭିଯୋଗ ଆଣୁଛନ୍ତି, ତାହା ଭିତ୍ତିହୀନ ନୁହେଁ ବୋଲି ଅନୁମାନ କରାଯାଉଛି।

ଏଠି ପ୍ରଶ୍ନ କାହିଁକି କୁଳମଣିଙ୍କୁ ନୃଶଂସ ହତ୍ୟା କରାଗଲା? ପୁଅ ରମାକାନ୍ତ ସିଧା ସିଧା ରାଜନୈତିକ ଆକ୍ରୋଶ ଆଡକୁ ଅଙ୍ଗୁଳି ଉଠାଇଥିବା ବେଳେ ବିଭିନ୍ନ ସମୟରେ ତାଙ୍କ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସଂପର୍କିତ ଆର୍‌ଟିଆଇ ତଥ୍ୟ କଥା ଉଠାଇଛନ୍ତି। ଏନେଇ ରମାକାନ୍ତ କହିଛନ୍ତି, ନୃତ୍ତାଙ୍ଗ ପଞ୍ଚାୟତର ବିଜେଡି ସଭାପତି କ୍ଷୀତୀଶ ଚଞ୍ଚକତା କରି ୨୦୨୦ ମାର୍ଚ୍ଚ ୨୧ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ, ହେଲେ ସେ କିନ୍ତୁ ଅଯୋଗ୍ୟ ହିତାଧିକାରୀ ଥିଲେ। ଏ ନେଇ ସେ ବ୍ଲକସ୍ତରୀୟ ଅଧିକାରୀଙ୍କଠୁ ଫାଇଭ୍ ଟି ସଚିବ ଏମିତିକି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବି ଲିଖିତ ଅଭିଯୋଗ କରିଛନ୍ତି। ତାସହ ଏତଲାରେ ଏକ ନମ୍ବର ଅଭିଯୁକ୍ତ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ନାଁରେ ବି ସଂଗୀନ ଅଭିଯୋଗ ଆଣିଥିଲେ।

ଭିକାରୀ ପଦବୀରେ ଥିବାବେଳେ କେମିତି ପଦର ଅପବ୍ୟବହାର କରି ନିଜ ବଡ଼ ଭାଇ ତ୍ରିଲୋଚନ ସ୍ୱାଇଁଙ୍କୁ ସରକାରୀ ଘର ପାଇଁ କାର୍ଯ୍ୟାଦେଶ ଦେଇଥିଲେ ଓ ପଞ୍ଚାୟତିରାଜ ବିଭାଗର ଚିଠି ସଂଖ୍ୟା ୩୬୧୦ରେ ନଭେମ୍ବର ୨୫ରେ ଭିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲା, ସେକଥା ବି କହିଥିଲେ।

ସେତେବେଳେ ଓଟିଭିରେ ମଧ୍ୟ ଏ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା। ତେବେ କେବଳ ଆବାସ କେଳେଙ୍କାରୀ ନୁହେଁ ବିଭିନ୍ନ ସମୟରେ ତାଙ୍କ ପଞ୍ଚାୟତରେ ବିପିଏଲ୍ ଚାଉଳ, କିରୋସିନି ଓ ଲାଟିନ୍ ଦୁର୍ନୀତି କଥା ବି ଉଠାଇ ଶାସକ ଦଳ ନେତାଙ୍କୁ ହରଡ଼ ଘଣାରେ ପକାଇଥିବାରୁ ପୁଞ୍ଜିଭୂତ ଆକ୍ରୋଶ ହିଁ ତାଙ୍କ ବାପା କୁଳମଣିଙ୍କ ହତ୍ୟାର କାରଣ ବୋଲି ରମାକାନ୍ତ କହିଛନ୍ତି।

ସବୁଠୁ ବଡ଼ କଥା ହେଲା ଏସବୁ ଦୁର୍ନୀତି ସମ୍ପର୍କରେ ମୁହଁ ଖୋଲିଥିବା ମୃତ କୁଳମଣି ବରାଳ ବିଜେଡିଠାରୁ ପାଉଥିବା ଧମକ ସମ୍ପର୍କରେ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ପୋଲିସରେ ଅଭିଯୋଗ କରିଥିଲେ ଓ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ। ତଥାପି ତାଙ୍କୁ ହତ୍ୟା କରାଗଲା, ତେଣୁ ଏହା ବିଜେଡିର ହିଂସା ଓ ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ ବୋଲି ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ। ଏପଟେ ମାହାଙ୍ଗା ଡବଲ ମର୍ଡର ପ୍ରତିବାଦ ସହ ମନ୍ତ୍ରିମଣ୍ଡଳରୁ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ପକ୍ଷରୁ ଆଜି ବିଭିନ୍ନ ଏସ୍‌ପି ଅଫିସ ଘେରାଉ କରାଯାଇଛି। ଘଟଣାରେ ଅନେକ ଅଭିଯୋଗ ଉଠିବା ପରେ ଏହାର ରାଜନୀତିକରଣ ଆଳରେ ତଦନ୍ତକୁ ବାଟବଣା କରାନଯାଉ ବୋଲି ଗତକାଲି ବିଜେଡି ପ୍ରତିକ୍ରିୟା ରଖିଥିଲା।

You might also like