ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ

ସୋର: ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଯାଉଥିଲେ ଡାକ୍ତରଖାନା। ବାଟରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଅନ୍ତର୍ଗତ ମଇତାପୁର ଗାଁରେ।

ଗତକାଲି ମଇତାପୁର ଗାଁର ଭାଗିରଥୀ ବେହେରାଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପୁଅ ମନୋଜ ତାଙ୍କୁ ନେଇ ପ୍ରଥମେ ସିମୁଳିଆ ଡାକ୍ତରଖାନା ଯାଇଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନା ନେବାକୁ କହିଥିଲେ।

ଆଜି ସକାଳେ ମନୋଜ ବାପାଙ୍କୁ ଏକ ବାଇକ୍‌ରେ ବସାଇ ଭଦ୍ରକ ଡାକ୍ତରଖାନା ଅଭିମୁଖେ ବାହାରିଥିଲେ। ତାଙ୍କ ସହ ଗାଁର ଆଉ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ଚରମ୍ପା ରେଳ ପୋଲ ନିକଟରେ ହଠାତ୍‌ ତାଙ୍କ ବାଇକ୍‌ ଦର୍ଘଟଣାଗ୍ରସ୍ତ ହୋଇଥିଲା।

ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟୁ ଘଟିଥିଲାବେଳେ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

You might also like