ପୁଅକୁ ରୋକିଲା ଲକ୍‌ଡାଉନ୍‌: ଏପଟେ ବାପା ଚାଲିଗଲେ ମହାଯାତ୍ରାରେ

ବ୍ରହ୍ମପୁର: ବିଦେଶରେ ଏକମାତ୍ର ପୁଅ। ଏପଟେ ଘରେ ବାପାଙ୍କ ଦେହାନ୍ତ। ମଝିରେ ଲକ୍ଷ୍ମଣରେଖା ଟାଣିଛି କରୋନା କଟକଣା।  ନା ଶେଷ ସମୟରେ ବାପାଙ୍କୁ ଆଖିରେ ଦେଖିବା ସମ୍ଭବ ହେଲା, ନା ମୁଖାଗ୍ନି ଦେବା। ଏଭଳି ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ବ୍ରହ୍ମପୁର ବଡ଼ବଜାରର କେ. ନରସିଂହ ମୂର୍ତ୍ତିଙ୍କ ପରିବାରକୁ।

ଗତକାଲି ସକାଳୁ ନରସିଂହଙ୍କ ହଠାତ୍ ହୃଦ୍‌ଘତରେ ମୃତ୍ୟୁ ଘଟିଥିଲା ସେ ମାତ୍ର ଅଧଘଣ୍ଟା ପୂର୍ବରୁ ଆମେରିକାର ଫ୍ଲୋରିଡାରେ ରହୁଥିବା ଏକମାତ୍ର ପୁଅ ସୁଦୀପ ସହ ଫୋନରେ କଥା ହୋଇଥିଲେ। ତେବେ କିଏ ଜାଣେ, ହଠାତ୍ ଏଭଳି ଅଘଟଣ ଘଟିବ। ସକାଳେ ଭଲରେ କଥା ହୋଇଥିବା ବାପାଙ୍କ ଶେଷଯାତ୍ରାକୁ କେବଳ ଭିଡିଓ କଲ୍‌ରେ ଦେଖି ଲୁହ ଗଡ଼ାଇବା ଛଡ଼ା ଅନ୍ୟ ଉପାୟ ନଥିଲା ସୁଦୀପଙ୍କ ପାଖରେ।

କରୋନା କଟକଣା ଯୋଗୁ ସମସ୍ତ ବିମାନ ରଦ୍ଦ ହୋଇଥିବାରୁ ଆମେରିକାରୁ ଘରକୁ ଆସିବା ସମ୍ଭବ ହୋଇପାରିନଥିଲା। ସୁଦୀପଙ୍କ କ୍ଷେତ୍ରରେ  ଅନ୍ୟ ଦିନ ହୋଇଥିଲେ ସେ ଘରକୁ ଫେରିବା ଯାଏ ଘରେ ଲୋକେ ଶେଷକୃତ୍ୟ ନକରି ଅପେକ୍ଷା କରିଥାନ୍ତେ ବୋଲି କହିଛନ୍ତି। ତେବେ ଏଭଳି କରୋନା ସ୍ଥିତିରେ ତାହା ସମ୍ଭବ ନହେବାରୁ, ନରସିଂହଙ୍କ ସାନ ଜ୍ୱାଇଁ ମୁଖାଗ୍ନି ଦେଇଥିଲେ। ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏଭଳି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

 

You might also like