ବାପାମା’ଙ୍କୁ ମାରିଦେଲେ ଗାଁ ଲୋକେ; ଶବ ସତ୍କାର ପାଇଁ ଭୟରେ ଗାଁକୁ ଯାଉନି ପୁଅ

ବଲାଙ୍ଗିର: କଙ୍ଗାରୁ କୋର୍ଟର ନିଷ୍ପତି କ୍ରମେ ବାପା-ମା’ଙ୍କୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏକଥା ଜାଣିବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ପୁଅ ରମେଶ ବରିହା। ଏତେମାତ୍ରାରେ ଡରି ଯାଇଛନ୍ତି ଯେ, ଗାଁକୁ ଯାଇ ପାରୁନାହାନ୍ତି।  ଡେରା ପକାଇଛନ୍ତି ଏସ୍‌ପିଙ୍କ ଅଫିସରେ। ଏଣେ ଡାକ୍ତରଖାନାରେ ପଡ଼ି ରହିଛି ବାପା-ମା’ଙ୍କ ଶବ । ସତ୍କାର ହୋଇ ପାରୁନି। ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଟିଟକାମାଲ ଗାଁରେ।

ଗତକାଲି ଚିନ୍ତାମଣି ବରିହା ଓ ତାଙ୍କ ପତ୍ନୀ ରୁକ୍ମଣୀ ବରିହାଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ମିଳିଥିଲା। ଗୁଣି ଗାରେଡି ସନ୍ଦେହରେ ତାଙ୍କ ବାପା-ମାଙ୍କୁ ଗାଁ ଲୋକେ କଙ୍ଗାରୁ କୋର୍ଟ କରି ହତ୍ୟା କରିଥିବା ପୁଅ ରମେଶ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ କାମ ସାରିଯାଇଥିଲେ ବି ପାଟଣାଗଡ଼ ମେଡିକାଲରେ ପଡ଼ିରହିଛି ଶବ। କାରଣ ରମେଶ ଏବେ ଗାଁକୁ ଯିବାକୁ ଭୟ କରୁଛନ୍ତି।  ଏଣେ  ପୁଲିସ ଡରରେ ଗାଁ ମଧ୍ୟ ପୁରୁଷଶୂନ୍ୟ ହୋଇଯାଇଛି।

ପୂରା ଘଟଣାଟି ଏମିତି।

ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଚିଟକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ ବର୍ଷର ଶିଶୁପୁତ୍ରକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ପାଟଣାଗଡ଼ ମେଡ଼ିକାଲ୍‌କୁ ନେଉଥିଲେ। ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଅର ମୃତଦେହକୁ ପରିବାର ଲୋକେ ମେଡିକାଲ୍‌ରୁ ଆଣି ନିଜ ଜମିରେ ପୋତି ଦେଇଥିଲେ ନରାୟଣ।

ହେଲେ ଗତ ୧୨ ତାରିଖରେ ଶବ ପୋତାଯାଇଥିବା ଜାଗାରେ କେହି ଜଣେ ଫୁଲ, ସିନ୍ଦୂର ରଖି ଓ ଦୀପ ଜାଳି ପୂଜା ପାଠ କରିଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ଗାଁରେ ବୈଠକ ବସିଥିଲା। ନିଜ ସମ୍ପର୍କୀୟ ଚିନ୍ତାମଣି ଓ ରୁକ୍ମଣୀ ବରିହା ଗୁଣି-ଗାରେଡ଼ି କରୁଥିବା ନାରାୟଣ କହିଥିଲେ। ପରେ ଏ ନେଇ ଲରମ୍ବା ଥାନାରେ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ଚିନ୍ତାମଣିଙ୍କ ସ୍ତ୍ରୀ ଋକ୍ମଣୀ। ଏପରିକି ତାକୁ ଡାହାଣୀ କହି ଗାଁ ଲୋକେ ନିର୍ଯାତନା ଦେଉଥିବା ଋକ୍ମଣୀ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ଭିତରେ  ଚାପା ଉତ୍ତେଜନା ଲାଗି ରହିଥିଲେ।

ପୁଲିସ ମାମଲା ସମାଧାନ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିଲା। ଯାହାଫଳରେ ଗତକାଲି ଗାଁରେ କଙ୍ଗାରୁ କୋର୍ଟ ବସିଥିଲା। ଦିନ ଦ୍ୱି’ପହରରେ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କରି ଏକ ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

ଏପଟେ ପୁଅ ରମେଶ କୌଣସି କାମରେ ବାହାରକୁ ଯାଇଥିଲେ।  ଗତକାଲି ସକାଳ ୮ ଟା ୪୫ ମିନିଟ୍‌ରେ ରମେଶ ତାଙ୍କ ବାପା ଚିନ୍ତାମଣିଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ଆଉ ସେତିକିବେଳେ ଚିନ୍ତାମଣି ତାଙ୍କ ପୁଅ ରମେଶକୁ କହିଥିଲେ, ଗୁଣିଗାରେଡ଼ିକୁ ନେଇ ଗାଁରେ ସଭା ଅଛି। ତେଣୁ ମୁଁ ସଭାକୁ ଯାଉଛି। ତା’ପରେ ଚିନ୍ତାମଣି ଫୋନ୍‌ କାଟି ସଭାକୁ ଯାଇଥିଲେ।

ପୂର୍ବହ୍ନ ୧୧ଟା ବେଳେ ରମେଶ ଆଉ ଥରେ ବାପାଙ୍କ ପାଖକୁ ଫୋନ୍‌ କରିଥିଲେ। ମାତ୍ର ଫୋନ୍‌ ବନ୍ଦ ରହିଥିଲା। ଯେତେ ଫୋନ୍‌ କରିଥିଲେ ମଧ୍ୟ ଲାଗି ନଥିଲା। ପରେ ରମେଶ ସାହି ପଡ଼ୋଶୀଙ୍କ ମୋବାଇଲକୁ ଫୋନ୍‌ କରିଥିଲେ। ମାତ୍ର କେହି ଫୋନ ଧରିନଥିଲେ। ତା’ପରେ ପଡ଼ୋଶୀ ଗାଁ ଲୋକଙ୍କଠୁ ଜାଣିବାକୁ ପାଇଲେ ନିକଟସ୍ଥ ଜଙ୍ଗଲରୁ ଦୁଇଜଣଙ୍କର ଶବ ପଡ଼ିଛି। ଏକଥା ଶୁଣିବା ପରେ ରମେଶଙ୍କ ହାଲତ ଶୁଖି ଯାଇଥିଲା। ନାନା ଦୁଶ୍ଚିନ୍ତା ମନ ଭିତରେ ଘାରି ହେଉଥିଲା। ମାତ୍ର ଘରଠାରୁ ଦୂରରେ ଥିବାରୁ କିଛି ଜାଣିପାରୁନଥିଲେ। ଫେରିବା ପରେ ଘଟଣା ବିଷୟରେ ଜାଣି ବାପାମା’ଙ୍କ ଶବ ସତ୍କାର କରିବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୁଲିସ। ସନ୍ଦେହରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

You might also like