“ହେଲ୍‌ମେଟ୍‌ ପିନ୍ଧିଥିଲି, ହେଲେ ମୁହଁକୁ ଚାଲି ଆସୁଛି ତ…”

ବାଲେଶ୍ୱର: ଖାଲି ମୋଟରସାଇକେଲ୍‌ ଚଲାଉଥିବା ବ୍ୟକ୍ତି ନୁହେଁ ବରଂ ଗାଡ଼ି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ମାର୍ଚ୍ଚ ୧ରୁ ଏହି ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ମଧ୍ୟ ଦେଇଛନ୍ତି।

ହେଲେ କିଛି ଲୋକ ଏହି ନିୟମକୁ ମାନୁ ନ ଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଦେଖିବାକୁ ମିଳିଛି କେହି କେହି ଗାଡ଼ି ପଛରେ ୩ ଜଣଙ୍କୁ ବସାଇଛନ୍ତି, ନା ଗାଡ଼ି ଚଲାଉଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧିଛନ୍ତି ନା ଗାଡ଼ି ପଛରେ ବସିଥିବା ବ୍ୟକ୍ତି। ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ମହିଳା ଗାଡ଼ି ପଛରେ ୨ ଜଣ ଛୁଆଙ୍କୁ ବସାଇ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଥିଲା।

ନିୟମ ହୋଇଛି ହେଲେ ହେଲ୍‌ମେଟ୍‌ କାହିଁକି ପିନ୍ଧି ନାହାନ୍ତି ବୋଲି ପଚରା ଯିବାରୁ ଉତ୍ତରରେ ମହିଳା ଜଣକ କହିଛନ୍ତି, “ହେଲ୍‌ମେଟ୍‌ ପିନ୍ଧିଥିଲି, ହେଲେ ମୁହଁକୁ ଚାଲି ଆସୁଛି ତ…ଅଭ୍ୟାସ ନାହିଁ। ଆଗକୁ ପିନ୍ଧିବି।”

ଆଉ ଜଣେ ଯୁବକ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ହେଲ୍‌ମେଟ୍‌ ନ ପିନ୍ଧିବା ନେଇ ଭୁଲ୍‌ ହୋଇଯାଇଛି ବୋଲି ଯୁବକ ଜଣକ କହିଛନ୍ତି।

ସେହିପରି ଆଉ ଜଣେ ଯୁବକ ହେଲ୍‌ମେଟ୍‌ ନ ପିନ୍ଧିବା ନେଇ ନଜର ଆସିଥିଲା। କାରଣ କ’ଣ ପଚରା ଯିବାରୁ ସେ କହିଥିଲେ, “ତେଲ ପକାଇବାକୁ ଚାଲି ଆସିଥିଲି…ମୋର ଭୁଲ୍‌ ହୋଇଯାଇଛି। ଆଗକୁ ହେଲ୍‌ମେଟ୍‌ ପିନ୍ଧିବି”।

ସେପଟେ ୩ ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି କରାଯିବ। ଏହାସହ ଜରିମାନା ରାଶି ମଧ୍ୟ କମ୍ କରାଯିବନି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଦିଲ୍ଲୀ ସଡ଼କ ସୁରକ୍ଷା ବୈଠକରୁ ଫେରିବା ପରେ ମନ୍ତ୍ରୀ ପଦ୍ମନାଭଙ୍କ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି।

You might also like