ବାସୁଦେବପୁର: ଭଦ୍ରକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ପୁଲିସ୍ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଏବେ ଏହି ଘଟଣାର ଏକ ନୂଆ ଗୁମର ପଦାକୁ ଆସିଛି।
ଦୁଇ ଜଣ ଯୁବକଙ୍କ ସହ ସମ୍ପୃକ୍ତ ମୃତ ଛାତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଛି। ଏଥିସହ ଛାତ୍ରୀ ଜଣଙ୍କ ରହୁଥିବା ମେସ୍ର ମାଲିକ ତାଙ୍କ ସହ ଅଶାଳୀନ ବ୍ୟବହାର କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଭାଇରାଲ ଭିଡିଓଟି ଯୁବତୀ ରହୁଥିବା ମେସ୍ରୁ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି। ତେଣୁ ଯୁବତୀଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଭାଇରାଲ ଭିଡିଓକୁ ନେଇ ମେସ୍ ମାଲିକ କହିଛନ୍ତି, ‘ଆମେ ତାକୁ(ମୃତ ଛାତ୍ରୀ) ଜଣେ ଘରର ସଦସ୍ୟ ବୋଲି ଭାବିଥିଲୁ। ଉଦ୍ଦେଶ୍ୟମୂଳକ ଭାବେ ମୋତେ ବ୍ଲାକ୍ମେଲିଂ କରାଯାଇଛି’।
ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୨୦ ତାରିଖରେ ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଟ୍ରେନ୍ ଲାଇନରୁ ଉଦ୍ଧାର କରାଯାଇଥିଲା। ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସେତେବେଳେ ସନ୍ଦେହ କରାଯାଉଥିଲା। ମୃତ ଛାତ୍ରୀ ଜଣକ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ। ସେ ବାସୁଦେବପୁରର ଏକ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ କଲେଜ ନିକଟସ୍ଥ ଏକ ଘରୋଇ ମେ୍ସରେ ରହୁଥିଲେ।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।