ନଜର ପକାନ୍ତୁ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଖବର, ୧୦୦ ଶବ୍ଦ ମଧ୍ୟରେ…

ଅଳ୍ପ ଶଦ୍ଦରେ ଅନେକ ଖବର

କଟକ: କଟକ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ଦୁଇଟି ବଖରା ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କଂପୁଟର ଏବଂ ଆସବାବପତ୍ର ଜଳି ଯାଇଛି। ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି।ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ସର୍ଟ ସର୍କିଟ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ। ଭଦ୍ରକ ବାସୁଦେବପୁର ପୌରପାଳିକାର ଉଚ୍ଚଡ଼ିହା ଗାଁରେ ଘଟିଛି ଅଗ୍ନିକାଣ୍ଡ। ଏଥିରେ ୪ ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ନାଁ କନକଲତା ବାରିକ। ସେ ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଛନ୍ତି। ବିଳମ୍ବିତ ରାତିରେ ଘଟିଛି ଅଗ୍ନିକାଣ୍ଡ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

କରୋନା ସଂକ୍ରମଣ ରୋକିବା ପାଇଁ ନବରଙ୍ଗପୁରରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଗତକାଲି କର୍ଫ୍ୟୁର ପ୍ରଥମ ଦିନରେ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯିବା ସହ ଲୋକଙ୍କୁ ସଚେତନ କରାଯାଇଥିଲା। ରାତିରେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ ଓ ବ୍ଲକିଂ କରାଯାଇଥିଲ॥ ତେବେ ଜରୁରୀକାଳୀନ ସେବାକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି। ଜିଲ୍ଲାରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଯାନି ଯାତ୍ରା ଥିବାରୁ ଗହଳି ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

୨୬ ମାର୍ଚ୍ଚରେ ଶ୍ରୀଜଗନ୍ନାଥଙ୍କ ଧାମକୁ ମହାତ୍ମାଗାନ୍ଧୀ ପ୍ରଥମ ଆଗମନ କରି ସ୍ୱାଧୀନତା ପାଇଁ ଲଢେଇ କରିବା ପାଇଁ ଦେଇଥିଲେ ଆହ୍ୱାନ। ମହାତ୍ମା ଗାନ୍ଧିଙ୍କ ଆଗମନକୁ ମନେ ପକାଇବା ପାଇଁ ଆଜି ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରାୟ ୩୦ରୁ ଅଧିକ ଅନୁଷ୍ଠାନ ଆଗମନୀ ସ୍ମାରକୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ମହାତ୍ମା ଗାନ୍ଧିଙ୍କ ପୁରୀ ଆଗମନୀ ଶତବାର୍ଷିକୀ ପାଳନ ଅବସରରେ ପୁରୀ ରେଳଷ୍ଟେସନରୁ ବଡ଼ଦାଣ୍ଡ ଦେଇ ଗାନ୍ଧିଘାଟ ଯିବ ଏକ ବିରାଟ ଶୋଭାଯାତ୍ରା ବୋଲି ଜଣାପଡିଛି। ଗାନ୍ଧୀ ସ୍ମୃତିପୀଠରେ ଶୋଭାଯାତ୍ରା ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ୧୯୨୧ ମସିହା ମାର୍ଚ୍ଚ ୨୬ରେ ଗାନ୍ଧିଜୀ ପୁରୀରେ ପହଞ୍ଚିଥିଲେ ଏହି ଅବସରରେ ସେ ଶରଧାବାଲିରେ ଅସହଯୋଗ ଆନ୍ଦୋଳନ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

ଖରାଦିନ ଆରମ୍ଭରୁ ବଢିଲାଣି ପାଣି ଚିନ୍ତା। ଖରା ହେଉ କି ବର୍ଷା, ନାଳ ପାଣି ଏଠି ପାଲଟିଛି ଲୋକଙ୍କ ସାହା ଭରସା। ସୁନ୍ଦରଗଡ଼ ଜିଲ୍ଳା ଲହୁଣୀପଡ଼ା ବ୍ଲକର ଜମିରଡିହି ଅଂଚଳରେ ଜଳକଷ୍ଟ ଭୋଗୁଛନ୍ତି ଲୋକେ। ବର୍ଷ ବର୍ଷ ଧରି ଏଠାରେ ସୋଲାର ପମ୍ପ ଅଚଳ ହୋଇ ପଡିଥିବାବେଳେ ନଳକୂଅରୁ ଗୋଳିଆ ପାଣି ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ୨ କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ନାଳରୁ ପାଣି ସଂଗ୍ରହ କରି ଆଣୁଛନ୍ତି। ଏହି ନାଳ ପାଣିକୁ ଉଭୟ ଗାଧୁଆ ଓ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ସେପଟେ ଘଟଣା ନେଇ ବିଭାଗୀୟ ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

You might also like