ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ନିହାର

ପାରଳାଖେମୁଣ୍ଡି: ମାନବ ସେବା ହିଁ ମାଧବ ସେବା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସ୍ୱେଚ୍ଛାସେବୀ ନିହାର ରଞ୍ଜନ ପଣ୍ଡା ଏହାକୁ ଅଙ୍ଗେଅଙ୍ଗେ ଉପଲବ୍ଧି କରିଛନ୍ତି। ଲୋକଙ୍କ ମୁହଁରେ ଚେନାଏ ହସ ଆଣିବା ପାଇଁ ସେ ସବୁବେଳେ ପ୍ରୟାସ କରିଥାନ୍ତି। ସେ ପ୍ରଳୟଙ୍କାରୀ ଫାଇଲିନ୍ ହେଉ ଅବା କାମଳ ରୋଗରେ ଆକ୍ରନ୍ତ ରୋଗୀଙ୍କୁ ସହାୟତା ପାଇଁ ନିହାର ସବୁବେଳେ ଅସହାୟଙ୍କ ପାଖରେ ଦେବଦୂତ ହୋଇ ଛିଡା ହୋଇଥାନ୍ତି।

ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିରେ ବାସ କରୁଥିବା ନିହାର ଏମ୍‌ସିଏ ପରେ ଏକ ସଫ୍ଟୱେର୍‌ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଧିରେଧିରେ ସମାଜସେବା ମନୋଭାବ ତାଙ୍କୁ ନିଜ ଗାଁ ପାରଳାଖେମୁଣ୍ଡିକୁ ଟାଣି ଆଣିଥିଲା। ଜୟ ଅଫ୍ ଗିଭିଂ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଗରିବଙ୍କ ସୁଃଖ ଦୁଃଖରେ ଛିଡା ହୋଇଥାନ୍ତି।

କେତେବେଳେ ରୋଗୀଙ୍କ ସେବା କରନ୍ତି ତ ଆଉ କେତେବେଳେ ବାସହୀନଙ୍କୁ ଚାଳ ଛପର ଘର କରି ଖରା ବର୍ଷା ଦାଉରୁ ରକ୍ଷା କରିଥାନ୍ତି। ଏହାଦ୍ୱାରା ସେ ଆତ୍ମ ସନ୍ତୋଷ ପାଇଥାନ୍ତି ବୋଲି କହିଛନ୍ତି। ଦୀର୍ଘ ବର୍ଷ ଧରି ଅସହାୟଙ୍କ ସହାୟ ସାଜିଥିବା ନିହାର ଏବେ ପାରଳାଖେମୁଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

 

ଦିନ ଥିଲା ପାରଳାଖେମୁଣ୍ଡି ଅଞ୍ଚଳର କିଛି ପରିବାରକୁ ଦିନକୁ ଦୁଇ ମୁଠା ଖାଇବାକୁ ମିଳୁନଥିଲା। ହେଲେ ନିହାରଙ୍କ ଚେଷ୍ଟା ବଳରେ ସେମାନଙ୍କୁ ଏବେ ଦୁଇବେଳା ଖାଦ୍ୟ ମିଳିପାରୁଛି। ଏମିତିକି ଖୋଲା ଆକାଶ ତଳେ ଦିନ କାଟୁଥିବା ଲୋକଙ୍କ ମୁହଁରେ ମଧ୍ୟ ସେ ହସ ଫୁଟାଇଛନ୍ତି।

ପୂର୍ବରୁ ବିବାହ ବ୍ରତ ଆଦି କାର୍ଯ୍ୟରେ ବଳୁଥିବା ଖାଦ୍ୟକୁ ଫୋପଡା ଯାଉଥିବାବେଳେ, ବର୍ତ୍ତମାନ ସେହି ଖାଦ୍ୟ ଗରିବଙ୍କୁ ବାଣ୍ଟି ଲୋକଙ୍କ ଭୋକ ମେଣ୍ଟାଇ ପାରୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଅନ୍ୟପଟେ ନିହାରଙ୍କ ଏଭଳି ସମାଜସେବା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ମହଲରେ ସ୍ୱାଗତ ମଧ୍ୟ କରାଯାଇଛି।

You might also like