‘ସକାଳେ ଏତେ ଭଲ ପାଇଲେ, ସନ୍ଧ୍ୟାରେ ଘରୁ ଚାଲିଯିବାକୁ କହିଲେ’

ଭୁବନେଶ୍ୱର: ଆଉ ନାହାନ୍ତି ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାଶ। ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖୁଥିବା, ଅନେକ ସମ୍ଭାବନା ଖୋଜୁଥିବା ମାନବ ପ୍ରେମୀ ଆଦିତ୍ୟଙ୍କୁ ଯେ ଦିନେ ଏମିତି ଅବସ୍ଥାରେ ଦେଖିବାକୁ ମିଳିବ ଏକଥା କେହି ବିଶ୍ୱାସ କରିପାରୁ ନାହାନ୍ତି। ଆଦିତ୍ୟଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କର ଫ୍ୟାନ୍ସ। ଅନେକ ପ୍ରଶ୍ନ ମନରେ। କାହିଁକି ଆଦିତ୍ୟ ନେଲେ ଏପରି ଚରମ ପଦକ୍ଷେପ ?

ଗତମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ପ୍ରେମ ବିବାହ କରିଥିଲେ ଆଦିତ୍ୟ। ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ଥିଲା ବେଶ ମଧୁର। ତାଙ୍କର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପତ୍ନୀ ବିଦ୍ୟାଶ୍ରୀ ଓ ମା’ ।

ଆଦିତ୍ୟଙ୍କୁ ଜୀବନସାଥୀ ଭାବେ ପାଇ ଗର୍ବ କରୁଥିଲେ ପତ୍ନୀ। ଆଜି ସେଇ ଆଦିତ୍ୟ ଏପରି ଅତର୍କିତ ତାଙ୍କ ହାତ ଛାଡି ଦେବା ପରେ ସେ ଅସହାୟ ହୋଇ ପଡ଼ିଛନ୍ତି। କାନ୍ଦି କାନ୍ଦି ମାଟିରେ ଯେମିତି ମିଶି ଯାଉଛନ୍ତି।

 

ପତ୍ନୀ ବିଦ୍ୟାଶ୍ରୀ ବି ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି ଆଦିତ୍ୟଙ୍କ ଏପରି ପଦକ୍ଷେପରେ। କାହିଁକି ଏପରି ପଦକ୍ଷେପ ନେଲେ ଆଦିତ୍ୟ ସେ ଭାବି ପାରୁନାହାନ୍ତି ? ଏବେ ମନେ ପକାଉଛନ୍ତି ଗୋଟିଏ ଗୋଟିଏ କଥା।

କୋହଭରା କଣ୍ଠରେ ବିଦ୍ୟାଶ୍ରୀ କହୁଛନ୍ତି, ‘ତାଙ୍କଠୁ ଅଧିକ ଭଲ ପାଇବା ମୋତେ କେହି ଦେଇ ପାରିବେନି, ମୋଠୁ ଅଧିକ ସପୋର୍ଟ ବି କେହି ତାଙ୍କୁ ଦେଇ ପାରିବେ ନାହିଁ। ହେଲେ ସେ କାହିଁକି ଏମିତି କଲେ ?’

ତିନି ଦିନ ତଳୁ ଡରୁଥିଲେ ଆଦିତ୍ୟ। ଅନ୍ଧାରକୁ ଡରୁଥିଲେ। ଏକୁଟିଆ ରହିବାକୁ ଡରୁଥିଲେ।  କାହିଁକି ଡରୁଥିଲେ ? ଏତେ ଷ୍ଟ୍ରଙ୍ଗ ମଣିଷ ମନରେ କ’ଣ ଏତେ ଭୟ ଥାଇପାରେ !  ତଳକୁ କବାଟ ବନ୍ଦ କରିବାକୁ ବି ଏକା ଯାଉ ନ ଥିଲେ। ସାଙ୍ଗରେ ଡାକୁଥିଲେ ପତ୍ନୀଙ୍କୁ। ଏମିତିକି ରାତିରେ ଏକା ଏକା ବାଥରୁମ୍‌ ଯିବାକୁ ବି ଡରୁଥିଲେ । କ’ଣ ଏମିତି ହେଲା ଯେ ଡରୁଥିଲେ ଆଦିତ୍ୟ ? ତାଙ୍କ ମୃତ୍ୟୁ ସହ ଏହି ଭୟର କିଛି ସଂଯୋଗ ନାହିଁ ତ ?

ହଠାତ୍‌ ଦୁଇ ଦିନ ତଳେ ଲଣ୍ଡା ହୋଇ ଯାଇଥିଲେ ଆଦିତ୍ୟ। ପତ୍ନୀ ପଚାରିବାରୁ ସେ କହିଥିଲେ ‘ନୂଆ ଭିଡିଓ କରିବାର ଅଛି।’ ଆଦିତ୍ୟ ଜାଣନ୍ତି,  ପ୍ରାଣପ୍ରିୟା ପତ୍ନୀ ତାଙ୍କର ଲମ୍ବା ଚୁଟିକୁ ବହୁତ ପସନ୍ଦ କରନ୍ତି। ହେଲେ କାହିଁକି ଲଣ୍ଡା ହେଲେ ?

କାଲି ସକାଳେ ପତ୍ନୀଙ୍କୁ ଏତେ ଭଲ ପାଉଥିଲେ।  ହେଲେ ସନ୍ଧ୍ୟାରେ ତାଙ୍କ ଉପରେ ବିନା କାରଣରେ ରାଗିଥିଲେ। ଘରୁ ପଳାଇବା ପାଇଁ କହିଥିଲେ। କିନ୍ତୁ କାହିଁକି ?

ସେତିକି ନୁହେଁ, କାଲି ସନ୍ଧ୍ୟାରେ ଫେସ୍‌ ବୁକ୍‌ରେ ଏକ ପୋଷ୍ଟ କରିଥିଲେ ମୃତ୍ୟୁ ନେଇ।  ” ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀର ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।”

ଆଉ ଆଜି ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ମିଳିଲା। ଏ ସବୁକି ଦେଖିଲେ  ଘଟଣା ପଛରେ ଅନେକ ରହସ୍ୟ ଥିବା ପରି ମନେ ହେଉଛି।

ସତରେ କ’ଣ  ପୋଲିସ ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିବ ?

ଆହୁରି ମଧ୍ୟ ପଢ଼ନ୍ତୁ: ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଆହୁରି ପଢ଼ନ୍ତୁ

You might also like