ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଭୁବନେଶ୍ୱର : ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।  ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ  ନେଇ ସନ୍ଦେହ ଲାଗିରହିଛି।

ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମାନ୍ୟ ପାଟିତୁଣ୍ଡ ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟି କରିବା ପରେ ଘର ଫ୍ରିଜ ଭିତରେ ମୋବାଇଲ ଓ ଘର ଚାବି ରଖି ପଳାଇ ଯାଇଥିଲେ। ତେବେ ଆଦିତ୍ୟ ଗୁଣିଗାରେଡ଼ିକୁ ଭୟ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେଇ ନେଇ ଏଯାଏ ସ୍ପଷ୍ଟ ହୋଇନାହିଁ। ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ କେଉଁ କାରଣରୁ ଏହି ଚରମ ନିଷ୍ପତ୍ତି ନେଲେ ତାହା ସନ୍ଦେହରେ ରହିଛି। ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ଫେସ୍‌ବୁକ ପୋଷ୍ଟ ଦେଖିଲେ ସେ କୌଣସି କାରଣରୁ ମାନସିକ ଚାପରେ ଥିବା ଅନୁମାନ କରାଯାଉଛି।

ମୃତ୍ୟୁ ପୂର୍ବରୁ ଗତକାଲି ସନ୍ଧ୍ୟା ୭ .୧୪ରେ ସେ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ” ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀର ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ।” ଏହି ସବୁ ଘଟଣାକୁ ବିଚାରକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ଆଦିତ୍ୟ ସମାଜ ସେବା ସହିତ ପ୍ରେରଣାଦାୟକ ବକ୍ତା( ମୋଟିଭେସନାଲ ସ୍ପିକର) ଥିଲେ। ମାନସିକ ଅବସାଦରୁ କେମିତି ଦୂରେଇ ରହିବେ, ସନେଇ ଅନେକ ଥର ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ସେ। ଏମିତିକି ବଲିଉଡ୍‌ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ମଧ୍ୟ ସେ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଆତ୍ମହତ୍ୟା ସମସ୍ୟାର ବିକଳ୍ପ ନୁହେଁ ବୋଲି ସେ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ।

ସୂଚନା ଥାଉକି,  ଏହା ପୂର୍ବରୁ ୨୮ ଜୁନରେ ଓଡ଼ିଶା ଫାଇନାନ୍ସ ସର୍ଭିସ(OFS)ର ଅଭିଳାଶ ସ୍ୱରୂପ ମହାପାତ୍ର ନାମକ ଜଣେ ଅଧିକାରୀ ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ଡୁମଡୁମା ଫେଜ୍ ୪ରେ ରହୁଥିବା ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଏକ ଓଢ଼ଣୀରେ ନିଜକୁ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ।

ଅଭିଳାଷଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ଭୁବନେଶ୍ୱରରେ ସ୍ତ୍ରୀ ଓ ଛୁଆଙ୍କ ସେ ସହ ରହୁଥିଲେ। ପାରିବାରିକ କଳହରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରେ ଖବର ପ୍ରକାଶ ପାଇଥିଲା।

You might also like