ସକାରାତ୍ମକ ସମାଜ ଗଠନ ପାଇଁ ଅପରାଜିତାଙ୍କ ‘ସମର୍ଥ’

ଭୁବନେଶ୍ୱର: ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ସକରାତ୍ମକ ସମାଜ ଗଠନ ପାଇଁ ଆରମ୍ଭ ହୋଇଛି। ସମର୍ଥ ଟ୍ରଷ୍ଟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଏହି ସାମାଜିକ ଅନୁଷ୍ଠାନର ପରିକଳ୍ପନା କରାଯାଇଛି। ରାଜ୍ୟର ବୁଦ୍ଧିଜୀବୀ, ବୃତ୍ତିଧାରୀ ଏବଂ ବରିଷ୍ଠ ନାଗରିକଙ୍କ ସାହାଯ୍ୟ ଓ ସହଯୋଗରେ ଏହି ଟ୍ରଷ୍ଟ କାମ କରିବ। ଭୁବନେଶ୍ୱରର ଇଞ୍ଜିନିୟର ଭବନ ପରିସରରେ ଆଜି ସମର୍ଥ ଟ୍ରଷ୍ଟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି।

ଆଗକୁ ଟ୍ରଷ୍ଟ ଜରିଆରେ ରାଜଧାନୀର ବିଭିନ୍ନ ସ୍ଥାନରେ ଶିକ୍ଷା ଓ ସଂସ୍କାର କେନ୍ଦ୍ର ଖୋଲାଯିବ। ଦିବ୍ୟାଙ୍ଗଙ୍କ ପାଇଁ ଶିବିର କରାଯାଇ ସେମାନଙ୍କୁ ଉପକରଣ ଦିଆଯିବ। ଏଥିସହ ଭୁବନେଶ୍ୱର ସହରାଞ୍ଚଳରେ ଥିବା ବିଭିନ୍ନ ପାର୍କରେ ଯୋଗ ଶିବିର ଆରମ୍ଭ କରାଯିବ ଏବଂ ଜରାଶ୍ରମ ଓ ଅନାଥାଶ୍ରମରେ କଲ୍ୟାଣମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ଟ୍ରଷ୍ଟର ଉପଦେଷ୍ଟା ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି।

ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି । ଏନେଇ ଘୋଷଣା ହେବା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

କିଛି ଦିନ ତଳେ ଅନ୍ନପୂର୍ଣ୍ଣା’ ଟ୍ରଷ୍ଟ ଗଠନ କରି ଭୁବନେଶ୍ୱର ସହରରେ ଗରିବ ଓ ଭୋକିଲା ଲୋକଙ୍କୁ ୧ଟଙ୍କାରେ ରନ୍ଧାଖାଦ୍ୟ ଦେବାକୁ ଘୋଷଣା କରିଥିଲେ ଅପରାଜିତା। ୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗରେ ‘ଅନ୍ନପୂର୍ଣ୍ଣା ’ ଟ୍ରଷ୍ଟ ଗଠିତ  ହୋଇଥିବା ଖବର ଆସିଥିଲା। ଦେଶବିଦେଶରେ ରହୁଥିବା ବଦାନ୍ୟ ବ୍ୟକ୍ତିମାନେ ପ୍ରାୟ ୪୦ ଲକ୍ଷ ଟଙ୍କା ଦାନ କରିଥିବା ମଧ୍ୟ ଚର୍ଚ୍ଚା ବି ହେଲା। ଆଗକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ଆସୁଥିବାରୁ  ଅପରାଜିତା ଅନ୍ନପୂର୍ଣ୍ଣା ରଣନୀତି ଆପଣେଇଥିବା ଚର୍ଚ୍ଚା ହେଲା। ଯାହାକି ରାଜ୍ୟ ସରକାରଙ୍କ ୫ ଟଙ୍କିଆ ଭାତ-ଡାଲମା ଯୋଜନା ‘ଆହାର’କୁ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କଲା।

ତେବେ ଅପରାଜିତାଙ୍କ ଏପରି ମାଗଣା ଭୋଜନ ନେଇ କାର୍ଯ୍ୟକ୍ରମ ପରେ, ହଠାତ୍‌ ଏକ ନୋଟିସ୍‌ ଜାରି କରି ମାଗଣା ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଇଥିଲା BMC। ନୋଟିସ୍‌ରେ କୁହାଯାଇଛି ଯେ, ଭୁବନେଶ୍ୱରକୁ ଭିକ୍ଷାବୃତ୍ତିମୁକ୍ତ ସହର ଭାବେ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ କିଛି ସଂସ୍ଥା ବିଏମସିର ବିନା ଅନୁମିତିରେ ଖାଦ୍ୟ ବସ୍ତ୍ର ବାଣ୍ଟୁଛନ୍ତି। ଏହା ଫଳରେ ସେହି ବୃତ୍ତିର ଲୋକମାନେ ସରକାରୀ ଆଶ୍ରୟସ୍ଥଳରେ ନରହି ରାସ୍ତାକଡ଼ରେ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ତେବେ ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ସର୍ବଶ୍ରେଷ୍ଠ ସାଂସଦ ବିବେଚିତ ହେବା ପରେ ଟ୍ୱିଟରରେ ନିଜେ ପ୍ରତିକ୍ରିୟା ରଖି କହିଥିଲେ ଯେ ଅପରାଜିତା ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ। ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

You might also like