ଥରୁଛି କନ୍ଧମାଳ, ଫୁଲବାଣୀରେ ବରଫ ବର୍ଷା

ଫୁଲବାଣୀ: ରାଜ୍ୟରେ ଶୀତର ପ୍ରକୋପ ବଢୁଛି। ୧୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୧୦ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଶୀତର ପ୍ରକୋପ ବଢୁଥିବାରୁ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, ଢ଼େଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।  ଅନ୍ୟପକ୍ଷେ କନ୍ଧମାଳ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ପାରଦ କମୁଥିବା ଦେଖିବାକୁ ମିଳିଛି।

ଥଣ୍ଡାକୁ ଦଷ୍ଟିରେ ରଖି ସତର୍କ ରହିବାକୁ SRCଙ୍କ ପରାମର୍ଶ ଦେଇଛନ୍ତି।  ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନ ବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ରାତିରେ ୨ ଚକିଆ ଯାନରେ ନଯିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ସେହପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗତ କିଛି ଦିନ ହେଲା କୁହୁଡି ସାଙ୍ଗକୁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କୋଇଡ଼ା ଅଞ୍ଚଳରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ଶୀତରେ କନ୍ଧମାଳ ଥରୁଛି। ଦୁଇଦିନ ହେବ କନ୍ଧମାଳର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡି ସମେତ ସଦର ମହକୁମା ଫୁଲବାଣୀରେ ଆଜି ସକାଳୁ ସକାଳୁ ବରଫ ପଡ଼ିଥିବା ଦେଖିବାକୁ ମିଳିଛି। ରାତିର ଥଣ୍ଡା ସକାଳ ୧୦ଟା ପର୍ଯ୍ୟନ୍ତ ଲାଗି ରହିଛି।

ଆଜି ସକାଳୁ ଗାଡି ଉପରେ ଏବଂ ଅନ୍ୟାନ୍ୟ ଜାଗାରେ ବରଫ ପଡ଼ିଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି।

You might also like