ରଥଯାତ୍ରାର ଆଦ୍ୟ ପର୍ବ ‘ସ୍ନାନଯାତ୍ରା’

ସ୍ନାନଯାତ୍ରା-ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ଆଜି ସ୍ନାନମଣ୍ଡପରେ ସ୍ନାନ କରିବେ ତିନି ଠାକୁର। ସଜେଇ ହେଇଛି ସ୍ନାନ ବେଦି। ସେ ବି ମହାପ୍ରଭୁଙ୍କ ସ୍ପର୍ଶ ପାଇବା ପାଇଁ ଆତୁର। ମହାପ୍ରଭୁ ସ୍ନାନବେଦିରେ ବିଜେ କଲା ପରେ ସୁନା କୂଅରୁ ଜଳ ଆସିବ। ୧୦୮ ଗରା ପାଣିରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସ୍ନାନ କରିବେ। ଏହି ଅପୂର୍ବ ଦୃଶ୍ୟ ଦେଖିବାର ସୌଭାଗ୍ୟ କିଏ ବା ହାତଛଡ଼ା କରିବ ?
ହେଲେ ଦୁଭାର୍ଗ୍ୟ ! ଭକ୍ତଙ୍କୁ ଏବର୍ଷ ଏ ପବିତ୍ର ଦର୍ଶନର ସୌଭାଗ୍ୟ ମିଳିବ ନାହିଁ। କରୋନା କଟକଣା ଯୋଗୁ ଜଗାର ସବୁ ନୀତିକାନ୍ତି ହେବ ବିନା ଭକ୍ତରେ।

ସ୍ବଳ୍ପ ସେବାୟତ, ଦଇତାପତିଙ୍କ ଗହଣରେ ଏଥର ସମ୍ପନ୍ନ ହେବ ନୀତିକାନ୍ତି। ପରମ୍ପରା ଅନୁସାରେ ଠାକୁର ସ୍ନାନମଣ୍ଡପକୁ ଯିବେ ଧାଡ଼ି ପହଣ୍ଡିରେ ଏବଂ ସ୍ନାନମଣ୍ଡପରୁ ଫେରିବେ ଗୋଟି ପହଣ୍ଡିରେ।
ସୁନା କୂଅରୁ ପାଣି ଆସିବ। ସେହି ପାଣିରେ ଶ୍ରୀଜିଉ ସ୍ନାନ କରିବାର ପରମ୍ପରା ରହିଛି। ଏହି କୂଅ ବର୍ଷ ସାରା ଅବ୍ୟବହୃତ ହୋଇଥାଏ। ହେଲେ ସ୍ନାନପୂର୍ଣ୍ଣିମା ଦିନ ଜଳକୁ ପଣ୍ଡିତମାନେ ମନ୍ତ୍ରରେ ଶୁଦ୍ଧ କରିବା ପରେ ଏହାକୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ ।

ଏହି ଦିନର ଆଉ ଏକ ବିଶେଷତ୍ବ ହେଉଛି, ଏହି ଦିନ ସୁଆର ସେବକଙ୍କ ପିଲାମାନେ ନୂଆ କରି ଏହି ଦିନ କାମ ଆରମ୍ଭ କରିଥାନ୍ତି। ମଧ୍ୟାହ୍ନ ୧ଟାରେ ମହାସ୍ନାନ ପରେ ଠାକୁର ପଡିବେ ଜ୍ବରରେ । ତେଣୁ ଠାକୁର ସ୍ନାନମଣ୍ଡପରୁ ଆଉ ରତ୍ନବେଦୀକୁ ଫେରିବେ ନାହିଁ। ସେଠାରୁ ଯିବେ ଅଣସରପିଣ୍ଡିକୁ। ଅଣସର ପିଣ୍ଡିରେ ଦଇତାପତିମାନଙ୍କର ସେବା ପାଇ ପ୍ରଭୁ ସୁସ୍ଥ ହେବେ। ଆଉ ତା’ପରେ ଆରମ୍ଭ ହେବ ନବଦିନ ଯାତ୍ରା ‘ଘୋଷଯାତ୍ରା’ ।

You might also like