ଆଜି ସ୍ନାନଯାତ୍ରା: ସ୍ନାନବେଦିରେ ଶ୍ରୀଜିଉ
ଘୋଷଯାତ୍ରାର ପ୍ରଥମ ପର୍ବ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଇ ପବିତ୍ର ହେବ ଭକ୍ତଙ୍କ ଚର୍ମଚକ୍ଷୁ । ବଡ ଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଝୁଲି ଝୁଲି କାଳିଆ ଠାକୁର ଆସିଗଲେଣି ସ୍ନାନ ମଣ୍ଡପକୁ । ରାଘବଦାସ ମଠରୁ ପ୍ରସ୍ତୁତ ହୋଇଥିବା ଗଜାନନ ବେଶର ମୁକୁଟ ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ପରିଧାନ କରି ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ନିର୍ଦ୍ଧାରିତ ସମୟ ଅନୁସାରେ ରାତି ୧ଟାରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହୋଇ ଯାଇଛି। ଏହା ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ସରିବା ପରେ ସାଢେ ୪ଟାରେ ମଙ୍ଗଳଆଳତି , ୪.୪୦ରେ ମଇଲମ, ୫ଟାରେ ତଡପଲାଗି ନୀତି ସମ୍ପନ୍ନ ହୋଇଛି ।
ତିନି ଠାକୁର ଧାଡ଼ି ପହଣ୍ଡିରେ ବିଜେ କରିଛନ୍ତି ସ୍ନାନମଣ୍ଡପକୁ । ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଶ୍ରୀଜିଉଙ୍କ ସ୍ନାନ ପାଇଁ ଜଳ ଆସିବ । ୧୦.୩୦ରେ ଛେରା ପହଁରା କରାଯିବ ।
ସ୍ନାନଯାତ୍ରାରେ ସାମାଜିକ ଦୂରତ୍ୱ କଟକଣା ପାଳନ ପାଇଁ ପୁଲିସର ବ୍ୟାପକ ପ୍ରସ୍ତୁତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ବଡ଼ଦାଣ୍ଡ ସୁରକ୍ଷାରେ ମୁତୟନ ହେବେ ୩୮ ପ୍ଲାଟୁନ ଫୋର୍ସ। ୨ଜଣ କମାଣ୍ଡାଣ୍ଟ, ୬ଜଣ ଏଏସ୍ପି, ୧୬ ଡିଏସ୍ପି ଓ ୪୪ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି କରାଯିବ। ୨୪ ଘଣ୍ଟିଆ ଡ୍ୟୁଟି ଥିବାରୁ ପୁଲିସକୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଥିବା କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି।