୫ରେ ସ୍ନାନଯାତ୍ରା; ଚାଲିଛି ଠାକୁରଙ୍କ ଟାହିଆ ପ୍ରସ୍ତୁତି କାମ

ପୁରୀ: ଆସନ୍ତା ୫ ତାରିଖରେ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଥିବାରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଭକ୍ତମାନଙ୍କୁ ଦର୍ଶନ ଅନୁମତି ନାହିଁ। ତାଲିକା ଅନୁଯାୟୀ, ସେବାୟତ ସେବା ପୂଜା କରିବେ। ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ହାତୀ ବେଶ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ସେବାୟତ। ବେତ, ବାଉଁଶ, ସୋଲ, କନା, ଜରି ଆଦିରେ ତିଆରି ଚାଲିଛି ଠାକୁରଙ୍କ ଟାହିଆ।

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ରତ୍ନସିଂହାସନରୁ ଓହ୍ଲାଇ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ବିଜେ କରିଥାନ୍ତି। ବିଜେ ସମୟରେ ମହାପ୍ରଭୁଙ୍କୁ ସୁନ୍ଦର ଟାହିଆରେ ସୁସଜ୍ଜିତ କରାଯାଇଥାଏ। ଆଉ ଏଥିପାଇଁ ଟାହିଆ ପ୍ରସ୍ତୁତି ଚାଲିଛି।

ଏପଟେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ୧୪୪ ଧାରା ଲାଗୁ ହେବ। ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଭୋର୍ ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ଚଳିତ ଥର ଘରେ ବସି ସ୍ନାନଯାତ୍ରା ସିଧାପ୍ରସାରଣ ଦେଖିପାରିବେ ଭକ୍ତ। ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଉଥିବା ବେଳେ, ଚଳିତ ବର୍ଷ ୩ ଦିନ ପୂର୍ବରୁ ଚାରିନାହାକା ଉଠିଛି। ଏହାପରେ ୬ କାଠ, ୧୪ ନାହାକା ଓ ପ୍ରଥମ ଭୂଇଁ କାମ ଆରମ୍ଭ ହୋଇଛି।

You might also like