ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି ସଂପନ୍ନ ହେବ । ତେବେ କରୋନା କଟକଣା ଯୋଗୁଁ ଏ ବର୍ଷ ବି ଶ୍ରୀକ୍ଷେତ୍ରରେ ଭକ୍ତଶୂନ୍ୟ ସ୍ନାନଯାତ୍ରା ପ୍ରସ୍ତୁତିରେ ପ୍ରଶାସନ ।

କାଲି ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନ ବେଦୀ । ରତ୍ନସିଂହାସନରୁ ଓହ୍ଲାଇ, ଧାଡ଼ି ପହଣ୍ଡିରେ ଆସି ବିଜେ କରିବେ ଚତୁର୍ଦ୍ଧା ମୂରତି । ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସିବେ ମହାପ୍ରଭୁ ଜଗନ୍ନାଥ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ସ୍ନାନପହଣ୍ଡି ଆରମ୍ଭ ହୋଇ ଭୋର୍ ୪ଟା ସୁଦ୍ଧା ସରିବ । ସାଢ଼େ ୪ଟାରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ଓ ସ୍ନାନ ବିଧି ସଂପନ୍ନ ହେବ । ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ତେବେ ଗତବର୍ଷ ଭଳି ଏଥର ବି କରୋନା ସଂକ୍ରମଣକୁ ଦେଖି ଛେରାପହଁରା ପାଇଁ ଆସିବେନି ଗଜପତି ମହାରାଜା । ତାଙ୍କ ପ୍ରତିନିଧି ମୁଦିରସ୍ତ ପରମ୍ପରା ରକ୍ଷା କରିବେ । ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ । ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ । ତେଣେ ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଦଇତାପତି ସେବାୟତ ବାହୁଟ କଣ୍ଟ ଓ ସେନାପଟା ଲାଗି କରି ସାରିଲେଣି । ସ୍ନାନ ପାଇଁ ସୁନାକୂଅରୁ ୧୦୮ ଗରା ଜଳ ଆସି ମଧ୍ୟ ଅଧିବାସ ଗୃହରେ ରଖିଛନ୍ତି । ପହଣ୍ଡି ବେଳରେ ଶ୍ରୀଜୀଉଙ୍କୁ ଲାଗି ହେଉଥିବା ଆକର୍ଷଣ ଟାହିଆ ସାଙ୍ଗକୁ ହାତୀ ବେଶ ସାମଗ୍ରୀ ପ୍ରସ୍ତୁତି ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ।

ସେପଟେ କୋଭିଡ୍ କଟକଣା ଯୋଗୁଁ ଭକ୍ତଶୂନ୍ୟ ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଆଜି ରାତି ୧୦ଟାରୁ ଲାଗୁ ହୋଇଯାଇଛି ୧୪୪ ଧାରା । ଏହା ଆସନ୍ତା ୨୫ ତାରିଖ ଯାଏଁ ବଳବତ୍ତର ରହିବ । ଏଥର ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ । ଏଥିସହ ୫ଜଣ ଅତିରିକ୍ତ ଏସପି, ୨୩ଜଣ ଡିଏସପି, ୪୧ଜଣ ଇନିସ୍ପେକ୍କରଙ୍କ ସହ ନିୟୋଜିତ ହେବେ ୫୩୦ ହୋମଗାର୍ଡ । ତ୍ରିସ୍ତରୀୟ କର୍ଡନ ବ୍ୟବସ୍ଥା ସହ ପୁରୀ ସହରକୁ ୬ଟି ଜୋନରେ ଭାଗ କରାଯାଇଛି । କେବଳ ଅଧିକୃତ ବ୍ୟକ୍ତିଙ୍କୁ ସିସିଟିଭି ସର୍ଭେଲାନସରେ ଚେକିଂ କରି ସ୍ନାନବେଦୀ ଅଞ୍ଚଳକୁ ଛଡାଯିବ । ପୁରୀ ସହରକୁ ବାହାର ଲୋକଙ୍କ ପ୍ରବେଶ ଓ ଯାନବାହନ ରୋକିବାକୁ ମଙ୍ଗଳାଘାଟ, ବାଟଗାଁ, ମାଳତିପାଟପୁର ଆଦି ପାଞ୍ଚଟି ପ୍ରବେଶ ପଥରେ ଫୋର୍ସ ଜଗିବେ । ସହର ଭିତରେ ମାର୍କେଟ ଛକ, ମୋଚିସାହି ଛକ, ସୋଲାଖିଆ ବରଗଛ ଓ ବୃଷଭ ଛକରୁ ଚାରିଚକିଆ ଯାନ ପ୍ରବେଶ ଉପରେ ବି ଲାଗିବ କଟକଣା ।

Other Stories