କାମୁଡ଼ି ଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ
ଯାଜପୁର: ଯାଜପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାମୁଡ଼ି ଥିବା ବିଷଧର ସାପକୁ ଧରି ଦୁଇ କିଲୋମିଟର ଚାଲି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଘଟଣା ଘଟିଛି ଯାଜପୁର ରୋଡ୍ ବ୍ୟାସ ସରୋବର ମନ୍ଦିର ନିକଟରେ।
ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳର ଶ୍ୟାମ ବେହେରା ନାମକ ଜଣେ ଯୁବକ ଆଜି ମନ୍ଦିରରେ ଶୋଇଥିବାବେଳେ, ଏକ ଚନ୍ଦନ ବୋଡ଼ା ସାପ ଆସି ତାଙ୍କ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା।
ତେବେ ଯୁବକ ଜଣକ ସାପଟିକୁ ଜୀବନ୍ତ ଅବସ୍ଥାରେ ଧରି ଏକ ଅଖାରେ ପୁରାଇ ଦୁଇ କିଲୋମିଟର ବାଟ ଚାଲି ଚାଲି ଯାଜପୁର ରୋଡ୍ ମେଡିକାଲରେ ପହଞ୍ଚିଥିଲେ।
ସେଠାରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯିବା ସହ ସ୍ନେକ୍ ହେଲ୍ପଲାଇନକୁ ଡକାଇ ସାପଟିକୁ ହସ୍ତାନ୍ତର କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।