
ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍ମେଟ୍
ଭୁବନେଶ୍ୱର: ସ୍ମାର୍ଟ ସ୍କୁଟରକୁ ସ୍ମାର୍ଟ ହେଲ୍ମେଟ୍। ହେଲ୍ମେଟ୍ ନପିନ୍ଧିଲେ ବାଇକ୍ ଷ୍ଟାର୍ଟ ହେବନି। ଆଉ ଯଦି ମଦ୍ୟ ପାନ କରିଛନ୍ତି ତାହେଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବନି। ଖାଲି ଏତିକି ନୁହେଁ, ଯଦି ବାଇକ୍ ଦୁର୍ଘଟଣା ଘଟେ ତେବେ ଜିପିଏସ୍ ବ୍ୟବସ୍ଥାରେ ୧୬ ଜଣଙ୍କ ମୋବାଇଲକୁ ଦୁର୍ଘଟଣାସ୍ଥଳ ବିଷୟରେ ସୂଚନା ଯିବ। ଏପରିକି ବାଇକ୍ ଚୋରି ଉଦ୍ୟମ ହେଲେ ସେନ୍ସର୍ ମଧ୍ୟ ବାଜି ଉଠିବ।
ବର୍ତ୍ତମାନର ସମୟରେ ଦୁର୍ଘଟଣାର ମୃତ୍ୟୁହାରକୁ କମାଇବା ଲାଗି ଏଭଳି ଏକ ଅଭିନବ ହେଲ୍ମେଟ୍ ତିଆରି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକ ଚିନ୍ତା କରିଥିଲେ। ୩ ବର୍ଷର ଗବେଷଣା ପରେ ସୁନ୍ଦରଗଡ଼ ଜିଲ୍ଲା ସାହଜବାହାଲର ବିଜ୍ଞାନ ଶିକ୍ଷକ ସଞ୍ଜୟ ନାଏକ ଏହି ହେଲ୍ମେଟ୍ ତିଆରି କରିଛନ୍ତି। ଜଣେ ସମ୍ପର୍କୀୟଙ୍କ ଦୁର୍ଘଟଣାରେ ମୃତ୍ୟୁରୁ ସେ ଏଭଳି ହେଲ୍ମେଟ୍ ପ୍ରସ୍ତୁତି ପ୍ରୟାସ ଆରମ୍ଭ କରିଥିଲେ।
ଏହି ହେଲ୍ମେଟ୍ ପାଇଁ ମୋଟ୍ ୪, ୨୦୦ ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ସଞ୍ଜୟଙ୍କ ସ୍ମାର୍ଟ ହେଲ୍ମେଟ୍କୁ ସୁନ୍ଦରଗଡ଼ ଏମ୍ଭିଆଇ ପ୍ରଶଂସା କରିଛନ୍ତି ।
ସେହିପରି କଟକରେ ବ୍ୟାଟେରୀ ଚାଳିତ ସ୍କୁଟରକୁ ନେଇ ଚର୍ଚ୍ଚାରେ ସନ୍ତୋଷ କୁମାର ଦଳେଇ। ସନ୍ତୋଷ ତିଆରି କରିଥିବା ଏହି ସ୍କୁଟରର ନାଁ ଫୋଲ୍ଡିଂ ସ୍କୁଟର ରଖିଛନ୍ତି। ଏହାର ଓଜନ ମାତ୍ର ୧୫ କେଜି ଥିବାବେଳେ ଫୋଲ୍ଡିଂ କରି ଅନ୍ୟ ସ୍ଥାନକୁ ନେଇ ହେବ। ସ୍କୁଟରଟି ସମ୍ପୂର୍ଣ୍ଣ ବ୍ୟାଟେରୀ ଦ୍ୱାରା ପରିଚାଳିତ। ୨ ଘଣ୍ଟା ଚାର୍ଜ କଲେ ସ୍କୁଟର ୧୮ରୁ ୨୦ କିଲୋମିଟର ଚାଲିବ। ଅନ୍ଲାଇନ୍ରେ ମୋଟର ଓ ଚକ କିଣି ସାଇକେଲ, ବାଇକ୍ ଓ ଟ୍ରଲି ରିକ୍ସାର କିଛି ସାମଗ୍ରୀ ବ୍ୟବହୃତ କରି ଏହି ସ୍କୁଟରକୁ ସେ ତିଆରି କରିଛନ୍ତି। ସନ୍ତୋଷ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ କାର୍ଯ୍ୟ କରନ୍ତି। ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।