ଭାବ ବିନୋଦିଆ କାଳିଆର କୁନି ଭକ୍ତ

ସ୍ୱପ୍ନାଦେଶ ହେବା ପରଠାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା କରିବା ସହ ନିଇତି ଭଳିକି ଭଳି ବେଶରେ ସଜାଇ ଦିଅନ୍ତି ଶୁଭ୍ରାଂଶୁ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ଭାବ ବିନୋଦିଆ କାଳିଆ କୁନି ଭକ୍ତ । କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ କିଛି ଦେଖନ୍ତିନି ଭକ୍ତର ଭକ୍ତି ଟିକକ ଦେଖନ୍ତି । ଭକ୍ତର ଭାବାବେଗ ସହ ଜଡିତ କାଳିଆ ସାଆନ୍ତ । ଦିନେ ଭକ୍ତ ବଳରାମ ଦାସଙ୍କ ଆକୁଳ ନିବେଦନରେ ନନ୍ଦିଘୋଷ ଛାଡି ବାଲି ରଥରେ ଆବିର୍ଭାବ ହୋଇଥିଲେ କୋଟି କୈବଲ୍ୟ ନାଥ କାଳିଆ ସାଆନ୍ତ । ଠିକ ସେମିତି ବଡ଼ ଦେଉଳର ରତ୍ନ ସିଂହାସନ ଛାଡି କାଳିଆ ସାଆନ୍ତ ଏବେ କୁନି ଭକ୍ତର ଛୋଟ ଘରେ କୁନି କାଳିଆ ରୂପରେ ଦର୍ଶନ ଦେଉଛନ୍ତି । ନା ଏଠି ଅଛି ଷାଠିଏ ପଉଟି ଛପନ ଭୋଗ ନା ଏଠି ଅଛି ସତଦଳ କମଳ ରତ୍ନସିଂହାସନ ର ସୁଖ । ଏଠି ମଧ୍ୟ ନାହାନ୍ତି ନିଯୋଗ ନିଯୋଗ ର ସେବାୟତ । ତଥାପି କାଳିଆ ଏଠି ହସୁଛି ।

ବଡ଼ ଦେଉଳରେ ଯେତିକି ବେଶ ଏଠି ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସେତିକି ବେଶ । ଆଉ ଏଇ ବେଶ କରୁଛନ୍ତି ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର ମହାପ୍ରଭୁଙ୍କ କୁନି ଭକ୍ତ ୧୫ ବର୍ଷୀୟ ଶୁଭ୍ରାଂଶୁ ନାୟକ । କୁନି ଠାକୁରଙ୍କ ବଡ଼ସିଂହାର ବେଶ,ନାଗାର୍ଜୁନ ବେଶ,ପଦ୍ମବେଶ,ଗଜବେଶ,ନାଗାର୍ଜୁନ ବେଶ,ଆଦି ସବୁ ବେଶରେ ସଜାଇ ଦିଅନ୍ତି ଶୁଭ୍ରାଂଶୁ । ଆଉ ଏତେ ଚମତ୍କାର ଭାବରେ ସେ ମହାପ୍ରଭୁଙ୍କୁ ସଜାଇ ଦିଅନ୍ତି ଯେ, ସାହି ପଡ଼ିଶାରୁ ଲୋକେ କାଳିଆକୁ ଦର୍ଶନ କରିବାକୁ ଛୁଟି ଆସନ୍ତି ।

ସ୍ୱପ୍ନରେ ପୂଜା କରିବାକୁ ଠାକୁରଙ୍କ ନିର୍ଦ୍ଦେଶ ହୋଇଥିବା ବୋଲି କହନ୍ତି ଶୁଭ୍ରାଂଶୁ । ଆଉ ସେଇ ଦିନୁ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିଜ ଘରେ ରଖି ପୂଜା କରି ଆସୁଛନ୍ତି । ପ୍ରତିଦିନ ଘଣ୍ଟା ଘଣ୍ଟା ପୂଜା କରିବା ସହ ଠାକୁରଙ୍କ ସମସ୍ତ ନୀତିକାନ୍ତି କରନ୍ତି ଶୁଭ୍ରାଂଶୁ । ଏଥିରେ ତାଙ୍କୁ ପୁରା ସହଯୋଗ କରନ୍ତି ତାଙ୍କ ପରିବାର । ଫୁଲ ତୋଳିବା, ବେଶ ସାମଗ୍ରୀ ପ୍ରସ୍ତୁତ କରିବା ଆଦି ସବୁ କ୍ଷେତ୍ରରେ ପରିବାରର ସହଯୋଗ ମିଳେ । ତେବେ ଶ୍ରୀଗୁଣ୍ଡିଚାରେ ରଥଯାତ୍ରା , ଅଧରପଣା, ସ୍ନାନ ପୂର୍ଣ୍ଣିମା ଆଦି ସମସ୍ତ ନୀତି କରନ୍ତି । ଆଉ ରାତି ହେଲେ କୁନି ପଲଙ୍କରେ ତିନି ଠାକୁର ଶୋଇବା ପରେ ଯାଇ ବିରାମ ନିଅନ୍ତି ଶୁଭ୍ରାଂଶୁ । ତେବେ ଶୁଭ୍ରାଂଶୁ ଙ୍କ ଏଭଳି ଭକ୍ତି ଦେଖି ସମସ୍ତେ କହନ୍ତି ସେ କୁଆଡେ କାଳିଆର କୁନି ଭକ୍ତ ।

You might also like