‘ଭୋକ ଉପାସରେ ଆମେ ମରି ଗଲୁଣି, କେହିବି ଆମ କଥା ଶୁଣୁ ନାହନ୍ତି’

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ବରପାଲି NAC ଅନ୍ତର୍ଗତ ଜଗନ୍ନାଥ ନଗରରେ ଥିବା ଏକ ବସ୍ତିକୁ ରେଳବାଇ ପକ୍ଷରୁ ଉଚ୍ଛେଦ ପରେ ଏବେ ରାସ୍ତା ଉପରକୁ ଆସି ଯାଇଛନ୍ତି ବସ୍ତି ବାସିନ୍ଦା।

ମୁଣ୍ଡ ଉପରୁ ଛାତ ଚାଲିଯିବା ପରେ ଅସହାୟ ହୋଇପଡିଛନ୍ତି ଶତାଧିକ ପରିବାର। ୪ ଦିନ ହେଲା ଛୋଟ ଛୋଟ ଛୁଆଙ୍କୁ ଧରି ଖୋଲା ଆକଶ ତଳେ ପଲିଥିନ୍ ତଳେ କଟୁଛି ଏମାନ ଜୀବନ। ଭୋକ ଉପାସରେ ଜୀବନ କଟୁ ଥିବାବେଳେ ଏମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି କିଛି ଅନୁଷ୍ଠାନ। ଏହିସବୁ ଅନୁଷ୍ଠାନ ସେମାନଙ୍କୁ ଖାଦ୍ୟ ଯୋଗାଇଛନ୍ତି।

କୌଣସି ଥଇଥାନ ନ କରି ହଠାତ୍ ଉଚ୍ଛେଦ କରାଯାଇଥିବାରୁ ଘର ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଏହି ଅସହାୟ ପରିବାର।

ସୂଚନାଥାଉ କି, ବରପାଲି ରେଳ ଷ୍ଟେସନ୍ ନିକଟ ରେଳବାଇ ଜମିରେ ଏହି ବସ୍ତିଟି ଥିଲା। ପ୍ରାୟ ୫୦ ବର୍ଷ ଧରି ଗରିବ ଶ୍ରେଣୀର ଲୋକମାନେ ଏଠାରେ ରହୁଥିଲେ। ଏହି ଜାଗା ଖାଲି କରିବା ପାଇଁ ରେଳବାଇ ନୋଟିସ୍ କରିବା ସହ ୭ ଦିନ ସମୟ ଦେଇଥିଲା। କିନ୍ତୁ ସମୟସୀମାର ଗୋଟିଏ ଦିନ ପୂର୍ବରୁ ସମସ୍ତ ଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ସବୁ ଘର ମାଟିରେ ମିଶିବା ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

ଏହି ଘଟଣାକୁ ନେଇ ଜଣେ ବିସ୍ଥାପିତ କହିଛନ୍ତି, ‘୭ ତାରିଖ ଯାଏ ନୋଟିସ୍‌ ଦିଆଯାଇଥିଲା। ହେଲେ ଦିନକ ପୂର୍ବରୁ ଭାଙ୍ଗିଦେଲେ। ଏବେ ଆମେ କେଉଁଠି ରହିବୁ ?’

ଆଉ ଜଣେ ବିସ୍ଥାପିତ କହିଛନ୍ତି, ‘୬ ତାରିଖ ଘର ସବୁ ଭାଙ୍ଗି ଦେଲେ। ଛୁଆପିଲା ସବୁ ଭୋକ ଉପାସରେ ମରି ଗଲୁଣି। ହେଲେ କେହିବି ଆମ କଥା ଶୁଣୁ ନାହନ୍ତି। 

You might also like