ବସ୍ତିରୁ ବଡ଼ ମେଡିକାଲ-ସଫଳତା ପଛର କାହାଣୀ କହନ୍ତି ଏଇ କଥା କୁହା ସାଥୀ

କଟକ: ଜଣେ ଅଭାବୀ ବାପାର ଏ ଦୁଇ ଆଖି ଦେଖିଥିବା ଅସୁମାରୀ ସ୍ୱପ୍ନ ସତେ ଯେମିତି ଆଜି ସତ ହେବାକୁ ବାଧ୍ୟ ହୋଇଛି। ଏ ସୁନାପୁଅର ଅଦମ୍ୟ ଇଚ୍ଛାଶକ୍ତିର ଆଗରେ ସଂକ୍ଷିପ୍ତ ହୋଇଯାଇଛି  ବସ୍ତିରୁ ବଡ଼ ମେଡିକାଲ ରାସ୍ତା। କଟକ ବାଲିକୁଦାର ଡାକ୍ତରୀ ଛାତ୍ର ଦୀପକ ସାମଲଙ୍କ ଅନଟନର ଯାତ୍ରା ଏତେ ଅବର୍ଣ୍ଣନୀୟ ଯେ, କୌଣସି ସିନେମାର କାହାଣୀଠୁ ବି କମ୍ ନୁହେଁ। ପାଦରେ ଛିଣ୍ଡା ଚପଲ ହେଉ କି ଦଦରା ସାଇକେଲ, ସତେ ଯେମିତି ତାଙ୍କ ସଫଳତା ପଛର ଜଣେ ଜଣେ କଥା କୁହା ସାଥୀ।

ଦିନ ମଜୁରିଆ ଅବିନାଶ ସାମଲଙ୍କ ଇଏ ସେହି ଡାକ୍ତରୀ ପଢୁଆ ମେଧାବୀ ପୁଅ, ଯିଏ ଜନ୍ମରୁ ଦାରିଦ୍ର୍ୟ ସହ ଜୁଝୁଥିଲେ କେବେ ବି ପଥଚ୍ୟୁତ ହୋଇ ନାହାନ୍ତି ତାଙ୍କ ସ୍ୱପ୍ନଠାରୁ..ତାଙ୍କ ସଂଘର୍ଷଠାରୁ । ଓଡ଼ିଶାରୁ ୧୧୪୯ ରାଙ୍କ ରଖି ପ୍ରଥମ ଚାନ୍ସରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଏସସିବି ମେଡିକାଲ କଲେଜରେ ଏମବିବିଏସ୍ ପଢୁଛନ୍ତି ଦୀପକ।

ତେବେ ଯେଉଁଠି ବାପା ମଜୁରୀ ଖଟିବାକୁ ଗଲେ ପରିବାରରେ ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ ଭରେ।  ସେଠି କେମିତି ବା ଡାକ୍ତରୀ ପଢ଼ାର ସାଜ ସରଞ୍ଜାମ କିଣିବାକୁ ଭରସିକି କହି ପାରିବେ। ହେଲେ କଷ୍ଟ ଯେତେ ଆସୁନା କାହିଁକି, ସ୍ୱପ୍ନ ସାକାର ହେବ ହିଁ ହେବ। ଏ ସାହାସର ରଜ୍ଜୁରେ ବନ୍ଧା ଉଭୟ ଦୀପକ ଓ ବାପା ଅବିନାଶ।

ପ୍ରଥମ ଥର ଡାକ୍ତରୀ ପ୍ରବେଶିକା ପରୀକ୍ଷା କ୍ୱାଲିଫାଏ କରିବାକୁ ସମସ୍ତଙ୍କ ଇଚ୍ଛା ଥିଲା। ମୁଁ ମଧ୍ୟ SCB ମେଡିକାଲରେ ପଢିବା ପାଇଁ ସବୁ ପ୍ରକାର ଦମ୍ ଲଗାଇ ଦେଇଥିଲି। ମୋ ପାଖରେ ମୋବାଇଲ ନଥାଏ, ସେଥିପାଇଁ ଅନ୍ୟଠୁ ମୋବାଇଲ ଆଣି ଅନଲାଇନ୍ ପରୀକ୍ଷା ଦେଇଥାଏ।
-ଦୀପକ ସାମଲ, MBBS ଛାତ୍ର, କଟକ
ମୂଲ ନ ଲାଗିଲେ ପଇସାଟିଏ ଆସିପାରିବ ନାହିଁ। ପୁଅ ଯେତେବେଳେ ବହି ଖାତା ପାଇଁ ପଇସା ମାଗେ, ତେବେ ଚଳାଇଦେବା ପାଇଁ ମୁଁ ତାକୁ କହିଥାଏ। 
-ଅବିନାଶ ସାମଲ, ଦୀପକଙ୍କ ବାପା

ତେବେ ଦୀପକଙ୍କୁ ମେଧାବୀ କରାଇବାରେ ଯାହାଙ୍କର ନିରବଛିନ୍ନ ପ୍ରୟାସ, ଦୀପକଙ୍କୁ ଡାକ୍ତର କରାଇବା ପଛରେ ଯାହାଙ୍କ ଅଜସ୍ର ଆଶୀର୍ବାଦ ସେ ଯେ ମାଆ ରଞ୍ଜୁଲତା ଏକଥା ବୁଝିବାକୁ ଜମାରୁ ବାକି ନାହିଁ। ପୁଅର ପାଠ ପଢ଼ା ପାଇଁ ସିଏ ଦୁଇ ଝିଅଙ୍କ ପାଠରେ ଅଧାରୁ ଡୋରି ବାନ୍ଧିବାକୁ ବାଧ୍ୟ ହୋଇଛନ୍ତି। ଅନେକ ରାତି ଅଧା ପେଟରେ ବି ଶୋଇଛନ୍ତି। ସାହୁକାରଠୁ ଋଣ ଆଣି ପୁଅକୁ ମେଡିକାଲରେ   ନାଁ ଲେଖାଇବାକୁ ବି ଦେଇଛନ୍ତି। ତେବେ ସବୁଦିନ ଭଳି ଏବେ ବି ଖଣ୍ଡେ ଆଳୁ ସିଝା ସହ ମୁଠାଏ ପଖାଳ ନିଜ ହାତରେ ଖୁଆଇ ଦେଉ ଦେଉ ପୁଅକୁ ଯେଉଁ ମଣିଷ ପଣିଆର ପାଠ ପଢ଼ାଉଛନ୍ତି, ସେ କଥା କେବଳ ତାଙ୍କ ମୁହଁରୁ ଶୁଣିଲେ ହିଁ ବିଶ୍ୱାସ ବଢ଼ିବ, ସମାଜକୁ ନୂଆ ଦିଶା ଦେବ।

ଯେମିତି ଆମେ ଗରିବ ହେଲେ ଡାକ୍ତରଙ୍କ ପାଖକୁ ଯାଉ, ସେମିତି ମୋ ପୁଅ ଡାକ୍ତର ହେଲେ ଗରିବଙ୍କ ସେବା କରିବ, ଏହା ମୁଁ ତାକୁ ସବୁବେଳେ ଶିକ୍ଷା ଦେଇଥାଏ।  
-ରଞ୍ଜୁଲତା ସାମଲ, ଦୀପକଙ୍କ ମାଆ

ଆର୍ଥିକ ଅନଟନର ଅଡୁଆ ଜାଲକୁ ଛିଡ଼ାଇ ବସ୍ତିରୁ ବଡ଼ ମେଡିକାଲ ପଢ଼ିବାକୁ ଯାଉଥିବା ଦୀପକ ପିଲାଟିବେଳୁ ମେଧାବୀ। ମାଟ୍ରିକ୍‌ରେ ୯୩ ପ୍ରତିଶତ ଆଉ ଯୁକ୍ତ ଦୁଇ ବିଜ୍ଞାନରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସାଙ୍ଗକୁ ପ୍ରଥମ ଚାନ୍ସରେ ନିଟ୍ କ୍ୱାଲିଫାଏ କଲେ । ଜଣେ ଭଲ ଡାକ୍ତର ହୋଇ ତାଙ୍କ ଭଳି ଗରିବଙ୍କ ସେବା କରିବାର ପଣ କରିଥିବା ଦୀପକ ଯେ ଅନ୍ୟ ଛାତ୍ରମାନଙ୍କ ପାଇଁ ଜଣେ ଅବିରତ ଜଳୁଥିବା ଦୀପ ସଦୃଶ ଏକଥାକୁ ଠିକ୍ ବୁଝିଛନ୍ତି ତାଙ୍କ ପଡ଼ୋଶୀ, ସହପାଠୀ ଓ ଶିକ୍ଷକ।

ରିପୋର୍ଟ: ଦେବାଶିଷ ମହାନ୍ତି, କଟକ
You might also like