କାର୍ ଭିତରୁ ମହିଳାଙ୍କ କଙ୍କାଳ ଉଦ୍ଧାର ଘଟଣା: DNA ଟେଷ୍ଟ୍ ପାଇଁ ପଠାଗଲା ଶରୀରର ଅଂଶବିଶେଷ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍ ଭିତରୁ ମିଳିଥିବା ମହିଳାଙ୍କ କଙ୍କାଳ ଚିହ୍ନିବା ପାଇଁ ଡିଏନ୍ଏ ଟେଷ୍ଟ୍ କରାଯିବ। ଶରୀରର ଅଂଶବିଶେଷ ସଂଗ୍ରହ କରାଯାଇ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି। ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।
୨୦୧୯ରେ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲାରେ ପୋଲିସ୍ ଏକ ମହିନ୍ଦ୍ରା କାର୍ ଜବତ କରିଥିଲା। ସେବେଠୁ ଗାଡ଼ିଟି ଯାଆଁଳା ଫାଣ୍ଡି ଆଗରେ ପଡ଼ି ରହିଥିଲା। ତେବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଗାଡ଼ି ଭିତରୁ କଙ୍କାଳ ଉଦ୍ଧାର ହୋଇଥିଲା। ପରେ ସାଇଣ୍ଟିଫିକ୍ ଟିମ୍ କଙ୍କାଳକୁ ଉଦ୍ଧାର କରି ଏମ୍ସକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା, ଏହା ଜଣେ ମହିଳାଙ୍କ ଶବ ଏବଂ ମୃତ ମହିଳାଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ। ଅନ୍ୟପକ୍ଷରେ, ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି।