ଶୀତଳଷଷ୍ଠୀ ପାଇଁ ଉଠିଲା ଥାଳ : ହାତଗଣତି ଲୋକଙ୍କ ଉପସ୍ଥିତିରେ ବିଧି ଅନୁଷ୍ଠିତ

ସମ୍ବଲପୁର : ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ ଥାଳ ଉଠା ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁସାରେ ବିଭିନ୍ନ ଶିବାଳୟରେ ପୂଜାର୍ଚ୍ଚନା ପରେ ଥାଳ ଉଠିବା ସହ କନ୍ୟା ମାତା-ପିତା ବି ଚୟନ କରାଯାଇଛି । ତେବେ ଏଥର କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି କେବଳ ମନ୍ଦିର ପୂଜକ , କନ୍ୟା ମାତା-ପିତାଙ୍କ ସହ ହାତଗଣତି ଅଳ୍ପ କେତେଜଣ ଲୋକଙ୍କ ଉପସ୍ଥିତିରେ ବିଧି ଅନୁଷ୍ଠିତ ହୋଇଛି ।

ସହରର ପ୍ରମୁଖ ପଡା ଝାଡୁଆପଡା, ନନ୍ଦପଡା ଏବଂ ମୁଦିପଡାସ୍ଥିତ ଶିବ ମନ୍ଦିରରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ କେବଳ ବିଧିରକ୍ଷା ପୁର୍ବକ ଥାଳ ଉଠା କାର୍ଯକ୍ରମ ହୋଇଥିଲା । ପୂର୍ବରୁ ବୁଢ଼ାରଜା ଶିବ ମନ୍ଦିରରେ ପାହାଡ଼େଶ୍ୱର ବାବା ଏବଂ ବଡ ବଜାର ସ୍ଥିତ ଶୀତଳେଶ୍ୱର ବାବାଙ୍କ ମନ୍ଦିରରେ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଥାଳ ଉଠା ଓ କନ୍ୟା ମାତା ପିତା ଚୟନ ହୋଇଛି ।

ଏପଟେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି ଚନ୍ଦନ ଯାତ୍ରା ।  ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ନାବରେ ଚାପ ଖେଳିଛନ୍ତି ମଦନମୋହନ, ଭୁଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚପାଣ୍ଡପ ।  ଶ୍ରୀମନ୍ଦିରରୁ ମଣି ବିମାନରେ ଆସିବା ପରେ ଠାକୁରମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇଥିଲେ ।  ଚନ୍ଦନ ଲାଗି ପରେ ବେଶ ଅନୁଷ୍ଠିତ ହୋଇଥିଲା ।  ପରେ ସୁସଜ୍ଜିତ ନାବରେ ଚାପ ଖେଳିଥିଲେ ସମସ୍ତ ଦେବଦେବୀ ।

ଠାକୁରମାନଙ୍କର ପୁଣି ବେଶ କରାଯାଇ ଜଳକ୍ରୀଡ଼ା ପରେ ଶ୍ରୀମନ୍ଦିର ଫେରିଛନ୍ତି ।  ଶ୍ରୀକ୍ଷେତ୍ରରେ ଦୀର୍ଘ ୪୨ ଦିନ ଧରି ଚାଲିବ ଚନ୍ଦନ ଯାତ୍ରା ୨୧ ଦିନ ବାହାର ଚନ୍ଦନ ଯାତ୍ରା ଓ ୨୧ ଦିନ ଧରି ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ପରମ୍ପରା ରହିଛି ।  ସେପଟେ ରଥଖଳାରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ତିନି ରଥର ନିର୍ମାଣ କାମ ।  ୩ ଖଣ୍ଡ ଧଉରା କାଠକୁ ଅନୁକୁଳ କରାଯାଇ ରଥକାମ ଆରମ୍ଭ ହୋଇଛି ।

You might also like