୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହେଲା ଏହି ଗ୍ରାମ ପଞ୍ଚାୟତ

  • ୪ ଦିନ ପାଇଁ ସିନାପାଲି ଗ୍ରାମ ପଞ୍ଚାୟତକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ‌ ଘୋଷଣା
  • ଅତି ଜରୁରୀ ନଥିଲେ ୪ ଦିନ ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଯିବାକୁ ପରାମର୍ଶ

ନୂଆପଡ଼ା: କରୋନାର ଦ୍ୱିତୀୟ ଲହର ଆସିବା ପରେ ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମା ସିନାପାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗତକାଲି ସିନାପାଲି ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ‌ ଘୋଷଣା କରିଛନ୍ତି।

ସିନାପାଲି ଗାଁରେ ଦୈନିକ ପଜିଟିଭ ସଂଖ୍ୟା ବଢିବା ସହ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଫଳରେ ସିନାପାଲି ଗାଁ ଲୋକ ବାହାରକୁ ଆସି ପାରିବେ ନାହିଁ କି ବାହାର ଲୋକ ଗାଁ ଭିତରେ ପ୍ରବେଶ କରିପାରିବେ ନାହିଁ। ଅତି ଜରୁରୀ ନଥିଲେ ୪ ଦିନ ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଯିବାକୁ କୁହାଯାଇଛି।

ସିନାପାଲି ପଞ୍ଚାୟତକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ନେଇ ଜିଲ୍ଲାପାଳ କହିଛନ୍ତି, ସିନାପାଲି ଗ୍ରାମ ପଞ୍ଚାୟତକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସେଠାରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବା ସହ ସିନାପାଲି ସିଏଚ୍‌ସି(ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର)ରେ ଅଧିକ ପଜିଟିଭ୍‌ ଚିହ୍ନଟ ହେବାରୁ ସିନାପାଲି ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଯଦି କିଛି ଜରୁରୀ ନାହିଁ, ତା’ହେଲେ ୪ ଦିନ ପାଇଁ ସିଏଚ୍‌ସିକୁ ଆସନ୍ତୁ ନାହିଁ।’

ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍‌ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ୧୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସୂଚନାଥାଉ କି, କିଛିଦିନ ତଳେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଝାରସୁଗୁଡ଼ା ପୌର ପରିଷଦର ୮ଟି ଅଞ୍ଚଳ, କିରିିମିରା ବ୍ଲକର ୩ଟି ଅଞ୍ଚଳ ସହ ଲଖନପୁରର ଗୋଟିଏ ଅଞ୍ଚଳକୁ ଝାରସୁଗୁଡ଼ା ଜିଲ୍ଲାପାଳ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିଲେ।

ଅନ୍ୟପକ୍ଷେ, କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି  ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଆଜିଠୁ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନେଇଛି।ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ।

You might also like