ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା: ମଫସଲି ମଣିଷ ପରି ସାଧାରଣ ଜୀବନ ବିତାଉଛନ୍ତି ରିଟାୟାର୍ଡ IAS

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଧଳା ଧୋତି ସାଙ୍ଗକୁ ଧଳା ଗଞ୍ଜି, ଆଉ କାନ୍ଧରେ ନାଲି ଗାମୁଛା। ନା ଅଛି ବଡ଼ ଗାଡ଼ି ଓ ନା କୋଠାବାଡ଼ି। ଆଜିର ଯୁଗରେ ବି ତାଙ୍କ ପାଖରେ ମୋବାଇଲ୍ ଖଣ୍ଡେ ବୋଲି ନାହିଁ। ସହରୀ ଜୀବନର ଆଡ୍ଡାଚଉଡ଼ା ନୁହେଁ ତାଙ୍କ ପାଇଁ ବଡ଼ ତାଙ୍କର ଆଦର୍ଶ। ଚାକିରିରୁ ଅବସର ପରେ ଗାଁରେ ନିରାଡ଼ମ୍ବର ଜୀବନଯାପନ କାଟୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ। ଆଦର୍ଶ ଓ ସଂସ୍କାରକୁ ନେଇ ଜୀବନ ବିତାଉଥିବା ଏହି ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଫିସର ଏବେ ଜନ୍ମ ମାଟିକୁ ଫେରି ସମାଜରେ ପରିବର୍ତ୍ତନର ଧାରା ଆଣିବାକୁ ଚିନ୍ତା କରୁଛନ୍ତି। ଭାରତୀୟ ପ୍ରାଶାସନିକ ସେବାର ଜଣେ ଅଧିକାରୀଙ୍କ ଏଭଳି ସାଦାସିଧା ଜୀବନଶୈଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଥରେ ସରକାରୀ ଚାକିରିଟିଏ ମିଳିଗଲେ, ଆଜିକାଲି ଲୋକ ଆଉ ଇନ୍ଦ୍ରଚନ୍ଦ୍ର ମାନନ୍ତି ନାହିଁ। ଘରର ଆଦବ କାଏଦା ବଦଳି ଯାଏ। ହେଲେ ଗାଁ ଦାଣ୍ଡରେ ସାଇକେଲ ଖଣ୍ଡେ ଧରି ବୁଲୁଥିବା ବ୍ୟକ୍ତିଙ୍କୁ ଦେଖିଲେ ଆପଣଙ୍କ ଧାରଣା ବଦଳିଯିବ।  ଆପଣ ଭାବିବେ ସେ ଜଣେ ସାଧାରଣ ଚାଷୀ। ଏହି ଜ‌ଣେ ନିଆରା ମଣିଷ ହେଲେ ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମର ଶଙ୍କର ନାରାୟଣ ପାଣିଗ୍ରାହୀ। ଦୁଇ ବର୍ଷ ହେଲା ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେବା ପରେ ଗାଁରେ ରହୁଛନ୍ତି। ନିଜର ବୋଲେ ଗୋଟିଏ ପୁରୁଣା ଘର,ଘରେ ଦୁଇ ଟି କାଠ ଚେୟାର,ପୁରୁଣା ସାଇକେଲ ଓ କିଛି ଆସବାବପତ୍ର ଛାଡିଦେଲେ ଘରେ କିଛି ବି ସୌଖିନ ସାମଗ୍ରୀ ନାହିଁ। ଏମିତିକି ସେ ଆଜି ଯାଏଁ ପାଖରେ ମୋବାଇଲ ଟିଏ ବି ରଖିନାହାନ୍ତି। ତଳେ ବିଛଣା ପକାଇ ଶୁଅନ୍ତି। ଘରେ ଏକାକୀ ରହୁଥିବାରୁ ମାର୍କେଟ ଯାଇ ପରିବା ଆଣିବାଠୁ ରୋଷେଇ ପର୍ଯ୍ୟନ୍ତ ସବୁକିଛି ସେ ନିଜେ କରନ୍ତି।

ସଂସ୍କୃତ ଶିକ୍ଷାରୁ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବାର ଲମ୍ବା ଯାତ୍ରାରେ ପଦବୀର କ୍ଷମତା କି ଗାରିମା ତାଙ୍କୁ ନୀତି, ଆଦର୍ଶ ଓ ଲକ୍ଷରୁ ବିଚ୍ୟୁତ କରିପାରିନାହିଁ। ତାଙ୍କ ଠାରେ ନାହିଁ  ସୌଖିନ ଭାବେ ବଞ୍ଚିବାର ଚିନ୍ତାଧାରା। ସ୍ଥାନୀୟ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇବା,ଓଡ଼ିଶାର ପାରମ୍ପରିକ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ସେ ମା ବ୍ୟାଘ୍ରଦେବୀଙ୍କ ନିକଟରେ ଦିଆ ଯାଉଥିବା ପଶୁବଳୀକୁ  ସମ୍ପୂର୍ଣ ବନ୍ଦ କରିବା ସହ ସମାଜରୁ ଅନ୍ଧବିଶ୍ୱାସ,କୁସଂସ୍କାରକୁ ଦୂର କରିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି। କାହାକୁ ଉଚ୍ଚନୀଚ୍ଚ ଧନୀ ଗରିବ ବୋଲି ବାଛ ବିଚାର କରନ୍ତିନି। ନିରାଡ଼ମ୍ବର ଜୀବନ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

You might also like