ଜଙ୍ଗଲରେ ନିଆଁ ଲାଗିବାର କଣ ରହିଛି ପ୍ରମୁଖ କାରଣ? ମହୁଲ ନୁହେଁ ତ ପ୍ରକୃତ କାରଣ !

ମହୁଲ ପାଇଁ ଜଳୁଛି ଜଙ୍ଗଲ?

  • ବନାଗ୍ନିର ଆଁ ଭିତରେ ଜଳିପୋଡି ଛାରଖାର ସବୁଜ ବନାନୀ
  • ଶ୍ରୀହୀନ ଶିମିଳାପାଳରୁ ସୁନାବେଡ଼ା ଯାଏଁ ବିସ୍ତୀର୍ଣ୍ଣ ଅଞ୍ଚଳ
  • ମହୁଲ ଗୋଟାଇବାକୁ ଜାଣିଶୁଣି ଲଗାଯାଉଛି କି ନିଆଁ ?
  • ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ଓଟିଭି
  • କାଲି ଶିମିଳିପାଳ ଗସ୍ତରେ ବିଜେପି ବିଧାୟକ ଦଳର ୧୦ ଜଣିଆ ଟିମ୍

ବାରିପଦା: ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହୋଇଗଲା ଶିମିଳିପାଳଠୁ ସୁନାବେଡ଼ା ଯାଏଁ ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ? ଏମିତି ଏକାଧିକ ପ୍ରଶ୍ନ ଭିତରେ ଗ୍ରାଉଣ୍ଡ ଜିରୋକୁ ଯାଇ ଶିମିଳିପାଳରେ ସ୍ଥିତି ପରଖିଛି ଓଟିଭି ଟିମ୍। ସେପଟେ କେନ୍ଦ୍ରୀୟ ଟିମ୍ ଏବଂ ଟାସ୍କଫୋର୍ସ ଶିମିଳିପାଳରୁ କାରଣ ଖୋଜିଥିବା ବେଳେ ଆସନ୍ତାକାଲି ଶିମିଳିପାଳ ଯିବ ବିଜେପି ବିଧାୟକ ଦଳର ୧୦ ଜଣିଆ ଟିମ୍ ବୋଲି ସୂଚନା ରହିଛି।

ଦିନେ ସବୁଜିମାରେ ଝଟକୁଥିଲା ଶିମିଳିପାଳ ଅଭୟାରଣ୍ୟ, ଆଜି କିନ୍ତୁ ଶ୍ରୀହୀନ ହୋଇପଡ଼ିଛି। ଆପଣ ଯୁଆଡ଼େ ଚାହିଁବେ କେବଳ ପାଉଁଶ ଆଉ ଅଙ୍ଗାରମୟ ଧୂଳି, ଧୂଆଁ ଆଉ ଧୂସର ଚିତ୍ର ଦେଖିବେ। ଏବେ ଏଠି, ସେଇଠି, ସବୁଠି କେବଳ ଦେଖାଯାଉଛି କିଛି ଏପରି ଚିତ୍ର। ତେବେ କାହିଁକି ଜଳିପୋଡ଼ି ଶ୍ରୀହୀନ ହୋଇଗଲା ସୁନ୍ଦରୀ ଶିମିଳିପାଳ ? ଏସିଆର ଦ୍ୱିତୀୟ ବୃହତ ଜୈବମଣ୍ଡଳର ଏଭଳି ଦୁର୍ଦ୍ଦଶା ପଛରେ ଦାୟୀ କିଏ ? କଣ ହୋଇପାରେ ସମ୍ଭାବ୍ୟ କାରଣ ? ପ୍ରତିଟି ଉତ୍ତର ଖୋଜିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଓଟିଭି। ତେବେ ବାଙ୍ଗିରିପୋଷି ନିକଟ ବେତଝରଣ ଗାଁ ନିକଟ ଜଙ୍ଗଲରେ ଜଳୁଥିଲା ନିଆଁ ସମ୍ପର୍କରେ ଉପଗ୍ରହ ଚିତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ଓଡ୍ରାଫ୍ ବାହିନୀ ପହଞ୍ଚି ଆୟତ୍ତ କରିଥିଲା ଜଳୁଥିବା ନିଆଁକୁ। ଆଉ ଏହି ଗୁରୁତ୍ୱପୂର୍ଣ୍ଣ କାମରେ ନିଜକୁ ସାମିଲ କରିଥିଲା ଓଟିଭି ଟିମ୍‌।

ତେବେ ସମଗ୍ର ଶିମିଳିପାଳରେ ନିଆଁ ପ୍ରାୟତଃ ଆୟତ୍ତକୁ ଆସିଥିଲେ ବି କେଉଁଠି କେତେବେଳେ ଏଭଳି ଜଳି ଉଠୁଛି ତାହା କହିବା ମୁସ୍କିଲ। ଏହି ଅଗ୍ନିକାଣ୍ଡ ପଛରେ କାଳ ସାଜିଛି ମହୁଲ। କାରଣ ଗ୍ରୀଷ୍ମ ଆସିଲେ ମହୁଲ ଝଡ଼ିପଡ଼େ ଗଛରୁ। ତା ପୂର୍ବରୁ ସହଜରେ ମହୁଲ ଗୋଟାଇବାକୁ ଗଛ ତଳେ ପଡ଼ିଥିବା ଶୁଖିଲା ପତ୍ର ସବୁକୁ ଜାଳିଦିଅନ୍ତି ସ୍ଥାନୀୟ ଅଧିବାସୀ। ଯେଉଁ ଗଛ ତଳେ ଯିଏ ନିଆଁ ଲଗାଇଥିବ ସେ ହିଁ ସେହି ଗଛର ମହୁଲ ନେବା ପାଇଁ ହକଦାର ବୋଲି ସ୍ଥାନୀୟ ଅଂଚଳରୁ ସୂଚନା ମିଳିଛି। ସେଥିପାଇଁ ଯିଏ ଯେତିକି ପାରିଲା ମହୁଲ ଝଡ଼ିବା ଆଗରୁ ଗଛମୂଳରେ ଜାଳିଦେଉଛନ୍ତି ଶୁଖିଲା ପତ୍ର। ଆଉ ସେହି ନିଆଁ ହିଁ ଜଙ୍ଗଲର ଚାରିଆଡ଼େ ବ୍ୟାପି କାଳ ସାଜୁଛି।

କେବଳ ମହୁଲ ସଂଗ୍ରହ ପାଇଁ ଲଗାଯାଉଥିବା ନିଆଁରୁ ଯେ ଜଳିପୋଡ଼ି ନଷ୍ଟ ହୋଇଗଲା ଶିମିଳିପାଳ, ତାହା ନୁହେଁ। ବନ୍ୟପ୍ରାଣୀ ଶିକାର ଆଉ ଏକ ପ୍ରମୁଖ କାରଣ ହୋଇଥିବା ନେଇ ଖବର ମଧ୍ୟ ମିଳିଛି। ତେବେ କାରଣ ଯାହା ହେଉନା କାହିଁକି ଆଜିକୁ ୧୫ ଦିନରୁ ଅଧିକ ସମୟ ଧରି ଏଭଳି ନିଆଁରେ ଶିମିଳିପାଳ ଜଳିପୋଡ଼ି ଯାଇଥିଲେ ବି କାହିଁକି ତ୍ୱରିତ ପଦକ୍ଷେପ ନିଆଯାଇ ପାରିନଥିଲା ? ଜଙ୍ଗଲପାଖ ବାସିନ୍ଦା ଏବଂ ବନବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଆଉ ଏକ ପ୍ରମୁଖ କାରଣ ନୁହେଁ କି ? କାହିଁକି ମନୁଷ୍ୟକୃତ କାରଣର ସମାଧାନ ହୋଇପାରୁନି ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ଏସବୁ ଦିଗକୁ ଧରି ତଦନ୍ତ କରିଛି କେନ୍ଦ୍ରୀୟ ଟିମ୍ ଏବଂ ଟାସ୍କଫୋର୍ସ। ସେପଟେ କାଲି ବିଜେପି ବିଧାୟକ ଦଳର ଏକ ୧୦ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଯାଉଥିବା ସୂଚନା ମିଳିଛି।

ଏପଟେ ଆଜି ବି ରାଜ୍ୟର କେଉଁଠି ନା କେଉଁଠି ଜଳୁଛି ଜଙ୍ଗଲ। ରାୟଗଡ଼ା ଜିଲ୍ଲାର ୪ଟି ରେଞ୍ଜର ଜଙ୍ଗଲ ହୁ ହୁ ହୋଇ ଜଳୁଛି। ସମାନ ଅବସ୍ଥା କୋରାପୁଟ ଜୟପୁର ବନଖଣ୍ଡରେ ବି ଦେଖିବାକୁ ମିଳିଛି। ଫାମ୍ପୁଣି ଜଙ୍ଗଲରେ ଏ ସ୍ଥାନରୁ ସେ ସ୍ଥାନକୁ ଖେଦିଯାଉଛି ବନାଗ୍ନି। ଆଉ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ବନ କର୍ମଚାରୀ। ଢେଙ୍କାନାଳ ବେଗା ଜଙ୍ଗଲରେ ବି ନିଆଁକୁ ଆୟତ୍ତ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବନ ବିଭାଗ, ଦମକଳ ବାହିନୀ ଓ ସ୍ଥାନୀୟ ବାସିନ୍ଦା। ତଥାପି ହୁତୁ ହୁତୁ ଜଳୁଛି ଶାଗୁଆନ୍ ଜଙ୍ଗଲ। ତେବେ ଜଙ୍ଗଲ ନିଆଁ କେବେ ଥମୁଛି ତାହାକୁ ରହିଛି ଅପେକ୍ଷା।

 

You might also like