ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗସ୍ତରେ ବିଜେପି

ସ୍ଥିତି ଅନୁଧ୍ୟାନ କରିବ ବିଜେପି ଟିମ୍‌

ବାରିପଦା: ଶିମିଳିପାଳ ନିଆଁ ଏବେବି ସଂପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ବାରିପଦାରେ ପହଞ୍ଚିଛନ୍ତି ବିଜେପି ପ୍ରତିନିଧି ଦଳ। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୧୫ ଜଣିଆ ଟିମ୍ ଆଜି ଶିମିଳିପାଳ ଗସ୍ତ କରିଛି। ଜଙ୍ଗଲ ନିଆଁ ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟ ଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରିବ ଟିମ୍।

ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ତାର ଅନୁଧ୍ୟାନ କରାଯିବ। ଏ ନେଇ ସ୍ଥାନୀୟ ବାସିନ୍ଦା ଓ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବ ପ୍ରତିନିଧି ଦଳ। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁର ବାସ୍ତବ ତଥ୍ୟ ଅନୁଧ୍ୟାନ କଲା ପରେ ବିଧାନସଭାରେ ଆଲୋଚନା କରାଯିବ ବୋଲି ଜୟ ନାରାୟଣ କହିଛନ୍ତି। ଅନ୍ୟପଟେ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ଏବେ ବି ନିଆଁ ଜଳୁଥିବା ବେଳେ ବନ ବିଭାଗ ପକ୍ଷରୁ ଏହାକୁ ଲିଭାଯିବା ପାଇଁ ଉଦ୍ୟମ ଜାରି ରହିଛି। ନିଆଁ ଲାଗିବାର କାରଣ ସଂପର୍କରେ ତଦନ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ ଏବଂ ଟାସ୍କଫୋର୍ସ।

ତେବେ ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହୋଇଗଲା ଶିମିଳିପାଳଠୁ ସୁନାବେଡ଼ା ଯାଏଁ ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ? ଏମିତି ଏକାଧିକ ପ୍ରଶ୍ନ ଭିତରେ ଗ୍ରାଉଣ୍ଡ ଜିରୋକୁ ଯାଇ ଶିମିଳିପାଳରେ ସ୍ଥିତି ପରଖିଛି ଓଟିଭି ଟିମ୍। ସେପଟେ କେନ୍ଦ୍ରୀୟ ଟିମ୍ ଏବଂ ଟାସ୍କଫୋର୍ସ ଶିମିଳିପାଳରୁ କାରଣ ଖୋଜିଛି।

ଏବେ ଏଠି, ସେଇଠି, ସବୁଠି କେବଳ ଦେଖାଯାଉଛି କିଛି ଏପରି ଚିତ୍ର। ତେବେ କାହିଁକି ଜଳିପୋଡ଼ି ଶ୍ରୀହୀନ ହୋଇଗଲା ସୁନ୍ଦରୀ ଶିମିଳିପାଳ ? ଏସିଆର ଦ୍ୱିତୀୟ ବୃହତ ଜୈବମଣ୍ଡଳର ଏଭଳି ଦୁର୍ଦ୍ଦଶା ପଛରେ ଦାୟୀ କିଏ ? କଣ ହୋଇପାରେ ସମ୍ଭାବ୍ୟ କାରଣ ? ପ୍ରତିଟି ଉତ୍ତର ଖୋଜିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଓଟିଭି।

କେବଳ ମହୁଲ ସଂଗ୍ରହ ପାଇଁ ଲଗାଯାଉଥିବା ନିଆଁରୁ ଯେ ଜଳିପୋଡ଼ି ନଷ୍ଟ ହୋଇଗଲା ଶିମିଳିପାଳ, ତାହା ନୁହେଁ। ବନ୍ୟପ୍ରାଣୀ ଶିକାର ଆଉ ଏକ ପ୍ରମୁଖ କାରଣ ହୋଇଥିବା ନେଇ ଖବର ମଧ୍ୟ ମିଳିଛି। ତେବେ କାରଣ ଯାହା ହେଉନା କାହିଁକି ଆଜିକୁ ୧୬ ଦିନରୁ ଅଧିକ ସମୟ ଧରି ଏଭଳି ନିଆଁରେ ଶିମିଳିପାଳ ଜଳିପୋଡ଼ି ଯାଇଥିଲେ ବି କାହିଁକି ତ୍ୱରିତ ପଦକ୍ଷେପ ନିଆଯାଇ ପାରିନଥିଲା ? ଜଙ୍ଗଲପାଖ ବାସିନ୍ଦା ଏବଂ ବନବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଆଉ ଏକ ପ୍ରମୁଖ କାରଣ ନୁହେଁ କି ? କାହିଁକି ମନୁଷ୍ୟକୃତ କାରଣର ସମାଧାନ ହୋଇପାରୁନି ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ଏସବୁ ଦିଗକୁ ଧରି ତଦନ୍ତ କରିଛି କେନ୍ଦ୍ରୀୟ ଟିମ୍ ଏବଂ ଟାସ୍କଫୋର୍ସ।

You might also like