ପୁରୀ: କେଉଁ ଡିଜାଇନରେ ନିର୍ମାଣ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା କବାଟ ? ଏଥିପାଇଁ ୧୦ ଜଣିଆ ଟିମ୍ ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ଡିଜାଇନର ଅନୁଧ୍ୟାନ କରିଛନ୍ତି। ଏଥି ସହ କିଛି ନମୂନା ମଧ୍ୟ ସଂଗ୍ରହ କରିଛନ୍ତି । ନମୂନା ମଧ୍ୟରେ ରହିଛି ଶତଦଳ ପଦ୍ମ, ଓଲଟା ପଦ୍ମ, ଫୁଟା ପଦ୍ମ, ଅବର୍ଣ୍ଣନୀୟ ପଦ୍ମ ଓ ଶହସ୍ରଦଳ ପଦ୍ମ ଇତ୍ୟାଦି।
ରଘୁରାଜପୁର ଯାଇଥିବା ଟିମ୍ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ରୂପା କବାଟ ଦାନ ଦେଉଥିବା ଦାତାଙ୍କ ପ୍ରତିନିଧି ମଧ୍ୟ ସାମିଲ ଥିଲେ । ଆସନ୍ତା ୧୯ ତାରିଖରେ ବସିବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କବାଟ ଡିଜାଇନ୍ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏହାପରେ ଡିଜାଇନ୍ ସମ୍ପର୍କରେ ASIକୁ ପ୍ରସ୍ତାବ ଦିଆଯିବ।
ସେଠାରୁ ଅନୁମୋଦନ ମିଳିଲେ ୮ଟିଯାକ ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ ହେବ । ମୁମ୍ବାଇର ଜଣେ ଦାତା ଶ୍ରୀମନ୍ଦିରର ୮ଟି କବାଟର ରୂପା ଛାଉଣୀ ଲାଗି ଅଢେଇ ଟନ୍ ରୂପା ଦାନ ଦେଉଥିବେଳେ ଏହି ରୂପାରେ ଡିଜାଇନ୍ ପ୍ରସ୍ତୁତ କରାଯିବ।