ମନମୋହୁଛି ପର୍ଯ୍ୟଟନସ୍ଥଳୀ କିନ୍ତୁ ଯିବାକୁ ନାହିଁ ରାସ୍ତା…
ପର୍ଯ୍ୟଟନସ୍ଥଳୀର ବିକାଶ ସହ ଏହାର ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା
ନବରଙ୍ଗପୁର: ପର୍ଯ୍ୟଟନସ୍ଥଳୀର ବିକାଶ ସହ ଏହାର ରକ୍ଷଣାବେକ୍ଷଣା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା। ଏନେଇ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ଆଜି ବି ଏମିତି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି ଯେଉଁଠି ସରକାରୀ ଯୋଜନା କୌଣସି କାମକୁ ଆସୁନି। ଏଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଥିବା ସାଇଧାରା ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତକୁ ଯିବା ପାଇଁ ଭଲ ରାସ୍ତା ଓ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ପର୍ଯ୍ୟଟକ।
ମନମୋହୁଛି ଝରଣା କିନ୍ତୁ ସାଇଧର ଜଳପ୍ରପାତକୁ ଯିବାକୁ ରାସ୍ତା ନାହିଁ#Odisha @DMnabarangpur pic.twitter.com/ODgajFu3gQ
— ଓଟିଭି (@otvkhabar) December 24, 2020
ପଥର କାଟି ବୋହି ଯାଉଛି ନୀଳ ଜଳରାଶି। ଚାରିଆଡେ ଘଞ୍ଚ ଜଙ୍ଗଲକୁ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କ ମନ କିଣୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠି ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଥିବା ସାଇଧାରା ଜଳପ୍ରପାତ ମଧ୍ୟରେ ରହିଛି ଛୋଟ ବଡ଼ ସାତଟି ଜଳପ୍ରପାତ। ଯାହା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିଥାଏ। ପ୍ରତିଦିନ ଶହ ଶହ ପଯର୍ଯ୍ୟକ ନିଜ ପରିବାର ଓ ସାଙ୍ଗସାଥିଙ୍କ ସହ ଆସି ପ୍ରକୃତିର ଆନନ୍ଦ ନେଉଛନ୍ତି।
ଏସବୁ ଭିତରେ ପର୍ଯ୍ୟଟକଙ୍କ ଭିତରେ ରହିଛି ରାସ୍ତାକୁ ନେଇ ଅସନ୍ତୋଷ। ସାଇଧାରା ଜଳପ୍ରପାତକୁ ଯିବା ପାଇଁ ହେଲେ ପର୍ଯ୍ୟଟକଙ୍କୁ ପାଖାପାଖି ୨ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡେ। ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ ସେଠାରେ ରାସ୍ତା, ବିଶ୍ରାମ ଗୃହ, ଆଲୁଅର ବ୍ୟବସ୍ଥା ଏବଂ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।
ଏହି ସାଇଧାରା ଜଳପ୍ରପାତ ଉପରେ ପ୍ରଶାସନ ଦୃଷ୍ଟି ଦେଲେ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଲୋକେ । ତେବେ ରାସ୍ତା ନଥିବାରୁ ଅନେକ ଲୋକ ଥରେ ଆସି ଦ୍ୱିତୀୟ ଥର ଆସିବାକୁ ଇଚ୍ଛା ମନ କରୁନାହାନ୍ତି ତେଣୁ ସ୍ଥାନୀୟ ଲୋକେ ମଧ୍ୟ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।