ଭ୍ୟାକ୍ସିନ୍ ନେବା ପରେ ଜଣେ ବ୍ୟକ୍ତିଙ୍କର ଦେଖାଦେଲା ସାଇଡ୍ ଇଫେକ୍ଟ

ଭୁବନେଶ୍ୱର: କରୋନା ହାରିବ, ଜୀବନ ଜିତିବ। ଏ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୁପ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ଏଥିସହିତ ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ନିର୍ଣ୍ଣାୟକ ଲଢ଼େଇ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। ଆଜି ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୪ ପ୍ରତିଶତ ଟିକାକରଣ ହୋଇଛି। ୧୩ ହଜାର ୭୪୫ ଜଣଙ୍କୁ ଟିକା ଦିଆଗଲାଣି। ତେବେ ଅନୁଗୁଳ, ବାଲେଶ୍ୱର, କନ୍ଧମାଳ, କୋରାପୁଟରେ ଶତ ପ୍ରତିଶତ ଟିକାକରଣ ହୋଇଛି। ରାଜ୍ୟରେ ଆଜି ୧୬ ହଜାର ୩୧୪ଙ୍କୁ ଟିକାଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପ୍ରଥମ ଦିନରେ ଟିକାକରଣ କାର୍ଯ୍ୟକ୍ରମ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ଯେ ଆଜି ପ୍ରଥମ ଦିନରେ ସୁରୁଖୁରୁରେ ଟିକାଦାନ କାର୍ଯ୍ୟକ୍ରମ ସରିଛି। ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା। ଏବେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ୩ ଲକ୍ଷ ୩୮ ହଜାର ପଞ୍ଜୀକୃତ ହୋଇଛନ୍ତି। ଆଗାମୀ ୧୦ ଦିନରେ ସମସ୍ତ ପଞ୍ଜୀକୃତଙ୍କୁ ଟିକା ଦିଆଯିବ। ୫୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ସଂପର୍କରେ କେନ୍ଦ୍ର ସହ କଥା ସେ ହୋଇଛନ୍ତି।ତୁରନ୍ତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଦାବି କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ତେବେ କେନ୍ଦ୍ର କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କକ୍ଷ, ଟିକାକରଣ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ। ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ ଜାଣିବା ପାଇଁ ହିତାଧିକାରୀଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିବ। ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ QR ବେସଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଟିକା ନେଇପାରିବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବାକୁ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାର ବ୍ୟବସ୍ଥା ବର୍ତ୍ତମାନ ନାହିଁ କିନ୍ତୁ ଅନ୍ୟ କୋଭିଡ୍ ଯୋଦ୍ଧା ଓ ବୟସ୍କମାନଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। କମ୍ ସମୟ ମଧ୍ୟରେ ଟିକା ଆସିଥିବାରୁ ତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାର ଉତ୍ତର ରଖିଛି ସ୍ୱାସ୍ଥ୍ୟ ବିଭାଗ। କୋଭିଡ୍ ଭ୍ୟାକସନ୍ ନିରାପଦ ଓ ଫଳପ୍ରଦ ଯଦିଓ ଟିକା ନେବା ବାଧ୍ୟତାମୂଳକ ନୁହେଁ କିନ୍ତୁ ଟିକା ନେବା ଉଚିତ୍ ବୋଲି କୁହାଯାଇଛି। ତେବେ ଅତି ଗୁରୁତର ରୋଗୀ ଓ ଯେଉଁମାନଙ୍କର ଟିକା ପ୍ରତି ଆଲର୍ଜି ରହିଛି ସେମାନଙ୍କୁ କୋଭିଡ୍ ଟିକା ଦିଆଯିବ ନାହିଁ।

ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୁଦ୍ଧର ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଦେଶରେ ବିକଶିତ ଉଭୟ ଟିକା ସୁରକ୍ଷିତ, ତେଣୁ ଗୁଜବରେ ବିଶ୍ୱାସ ନକରିବାକୁ ସେ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେଉଥିବା ଲୋକେ, ଦ୍ୱିତୀୟ ଡୋଜ୍ ନିଶ୍ଚିତ ଭାବେ ନେବାକୁ ମୋଦି ଅନୁରୋଧ କରିଛନ୍ତି। ଟିକା ବାହାରିଥିଲେ ମଧ୍ୟ କରୋନା କଟକଣା ମାନି ଚଳିିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଜିର ସମ୍ବୋଧନ ବେଳେ ଦେଶବାସୀ ସାମ୍ନା କରୋନା ବେଳର କଷ୍ଟ ଓ ଯନ୍ତ୍ରଣା କଥା ବଖାଣି ଭାବବିହ୍ୱଳ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ।

ନ୍‌ଏଇଲ

You might also like