ଦେଶରେ ବଢ଼ୁଛି ଓଡ଼ିଆଙ୍କ ପତିଆରା, ଏଲଆଇସି MD ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର : ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବଡ଼ ବଡ଼ ପଦବୀରେ ଓଡ଼ିଆ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ରୂପରେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ଭାବେ ଚୟନ ହେବାର ଘୋଷଣାର ଦିନକ ପରେ ଆଉ ଏକ ଗୌରବାନ୍ୱିତ କଲାପରି ଖବର ମିଳିଛି । ଦେଶର ସର୍ବବୃହତ୍ତ ବୀମା କଂପାନି ଜୀବନ ବୀମା ନିଗମର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ।

ଆସନ୍ତା ଫେବ୍ରୁଆରି ୧ରୁ ସେ ଏଲଆଇସି ଏମଡି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏବେ ସେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟ ତୁଲାଉଛନ୍ତି । ତେବେ ଫେବ୍ରୁଆରି ୧ରୁ ଏମଡି ଭାବେ ଦାୟିତ୍ୱ ନେବା ସହ ୨୦୨୩ ଜୁନ୍ ୩୦ ଯାଏ ସେ ଏହି ପଦରେ ରହିବେ । ଟି ସୁଶିଲ କୁମାରଙ୍କ ସ୍ଥାନ ନେବେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ତାଙ୍କ ନିଯୁକ୍ତି ନେଇ ଆର୍ଥିକ ସେବା ବିଭାଗର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଗ୍ରହଣ କରିଛି । ଏଲଆଇସିରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ଏମଡ଼ି ପଦ ରହିଛି । ଏମଡ଼ି ପଦରେ ଥିବା ଟି. ସି. ସୁଶିଲ କୁମାର ଜାନୁଆରି ୩୧ରେ ଅବସର ନେଉଥିବାରୁ, ତାଙ୍କ ସ୍ଥାନରେ ସିଦ୍ଧାର୍ଥଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ ଏହାପୂର୍ବରୁ ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ମିଳିଛି ଭାରତୀୟ ସେନା ଉପମୁଖ୍ୟ ପଦ । ପ୍ରଥମ ଓଡ଼ିଆ ଭାବେ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ସେନା ଉପମୁଖ୍ୟ ଭାବେ ଏସ୍‌କେ ସାଇନିଙ୍କ ସ୍ଥାନ ନେବେ। ଜାନୁଆରୀ ୩ରେ ଏସକେ ସାଇନି ଅବସର ଗ୍ରହଣ କରିବେ। ଏବେ ସଦର୍ଣ୍ଣ କମାଣ୍ଡ୍‌ର କମାଣ୍ଡର ଅଛନ୍ତି LG ଚଣ୍ଡିପ୍ରସାଦ ମହାନ୍ତି । ଡେରାଡୁନ ସ୍ଥିତ ଇଣ୍ଡିଆନ ମିଲିଟାରୀ କଲେଜରେ ପାଠ ପଢିଥିବା ଏହି ଓଡିଆ ପୁଅ, ନାସନାଲ ଡ଼ିଫେନ୍ସ ଏକାଡେମୀ ଏବଂ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀରେ ଟ୍ରେନିଂ ନେଇଛନ୍ତି । ରାଜପୁତ ରେଜିମେଂଟ୍‌ର ୧୯୮୨ ବ୍ୟାଚ୍ ଇନଫାନଟ୍ରି ଅଫିସର ହେଉଛନ୍ତି ଚଣ୍ଡିପ୍ରସାଦ ମହାନ୍ତି । ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ମଧ୍ୟରେ ସେ ଚୀନ୍ ଏବଂ ପାକିସ୍ତାନ ସୀମା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଦାୟିତ୍ୱ ତୁଲାଇଛନ୍ତି । ସେ ଜମ୍ମୁ କାଶ୍ମୀରରେ କମ୍ପାନୀ କମାଣ୍ଡର ସହ ଏଲଓସିରେ ବାଟାଲିଅନ କମାଣ୍ଡର ରହିସାରିଛନ୍ତି । ଆସାମରେ ଉଲଫା ଆତଙ୍କବାଦୀ ବିରୋଧୀ- ଅପରେସନ ଅଲ୍ କ୍ଲିୟରରେ ଚଣ୍ଡିପ୍ରସାଦଙ୍କ ବାଟାଲିୟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ।

You might also like