ଦିନେ ମହାପ୍ରଭୁଙ୍କ ସେବାରେ ଲାଗୁଥିଲା, ଆଜି ଅନୁପଯୋଗୀ

ଅଇଁଠା ପତ୍ରରେ ଭର୍ତ୍ତି ଶିବଗଙ୍ଗା ପୁଷ୍କରଣୀ

ଭଦ୍ରକ (ବାସୁଦେବ ଦାସ ) : କିଛି ଦିନ ପରେ ମହା ଶିବରାତ୍ରୀ । ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ବି ଲାଗିବ ପ୍ରବଳ ଭିଡ଼ । ଶୈବପୀଠରେ ଜାଗର ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ । ଖାଲି ମହା ଶିବରାତ୍ରୀ ନୁହେଁ ଅନ୍ୟ ଦିନରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ଭିଡ ଜମିଥାଏ । ଶୈବ ପୀଠର ବିକାଶ ପାଇଁ ଅର୍ଥ ଆସିଛି। ହେଲେ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଜାଗର ପୂର୍ବରୁ ସବୁ କାମ ସରିଯିବ ବୋଲି ପ୍ରଶାସନ କହିଛି।

ଆଖଣ୍ଡଳମଣି ପୀଠ ନିକଟରେ ଥିବା ଶିବଗଙ୍ଗା ପୁଷ୍କରଣୀ ପାଣି ମହାପ୍ରଭୁଙ୍କ ସେବାରେ ଲାଗିଥାଏ । ବିଶ୍ୱାସ ରହିଛି ମୁଣ୍ଡନ ପରେ ଶିବଗଙ୍ଗା ପୁଷ୍କରଣୀରେ ଗାଧୋଇବା କଥା । ହେଲେ ପ୍ରଶାସନିକ ଅବହେଳାରୁ ଏହି ପୁଷ୍କରଣୀ ଆଜି ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ପୋଖରୀରେ ଦଳ ଭର୍ତ୍ତି ହୋଇଥିବାରୁ ଶ୍ରଦ୍ଧାଳୁମାନେ ବାଧ୍ୟ ହୋଇ ନଳକୂପର ପାଣି ବ୍ୟବହାର କରୁଥିବା କହିଛନ୍ତି।

ପୁଷ୍କରଣୀ ଦଳରେ ଭର୍ତ୍ତି ହୋଇ ପଡିଥିବା ବେଳେ ଭାସୁଛି କୁଢ କୁଢ ଅଇଁଠା ପତ୍ର। ଏହାବ୍ୟତୀତ ଆଖଣ୍ଡଳମଣି ପୀଠ ଶୌଚାଳୟ ଭିତରେ ମଧ୍ୟ ଅଇଁଠା ପତ୍ର ପଡିଥିବାବେଳେ ବାହାରେ ଏଣେତେଣେ କୁଢକୁଢ ମଇଳା ପଡିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପ୍ରତିଦିନ ଶତାଧିକ ଭକ୍ତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ପୀଠର ବିକାଶ ପାଇଁ ସରକାର ୧୪କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଶିବଗଙ୍ଗା ପୁଷ୍କରିଣୀର ପୁନଃରୁଦ୍ଧାର ସହ ଭୋଗ ମଣ୍ଡପ ଆଦିର ବିକାଶମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା କାମ ସରିନଥିବାରୁ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୀଠର ଅବ୍ୟବସ୍ଥା ନେଇ ସେବାୟତ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜାଗର ପୂର୍ବରୁ ସମସ୍ତ କାମ ସରିଯିବ ବୋଲି ନିର୍ବାହୀ ଅଧିକାରୀ ଓ ଚାନ୍ଦବାଲି ବିଧାୟକ କହିଛନ୍ତି।

You might also like