କଟକ ସହରରୁ ହଟିଲା ସଟ୍ଡାଉନ୍, ହେଲେ ଜାରି ରହିବ ଶନିବାର ଓ ରବିବାର ସଟ୍ଡାଉନ୍ କଟକଣା
କଟକ: ଆଜିଠୁ କଟକ ସହରରୁ ସଟ୍ଡାଉନ୍ କଟକଣା ହଟିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍ଡାଉନ୍ କଟକଣାକୁ ହଟାଇବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା।
ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।
- ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ ଦେକାନ ବଜାର ଖୋଲା ରହିବ।
- ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ।
- ୫୦% କର୍ମଚାରୀଙ୍କୁ ନେଇ ଖୋଲା ରହିବ ସରକାରୀ ଅଫିସ୍।
- କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ
ସୂଚନାଥାଉ କି, କଟକ ସହରରେ କରୋନା ସଂକ୍ରମଣ ବଢୁଥିବା ଦେଖି ଗତ ୪ରେ CMC ପକ୍ଷରୁ କଟକ ସହରକୁ ସଟ୍ଡାଉନ୍ ଘୋଷଣା କରାଯାଇଥିଲା। ୬ ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ଓ କଣ୍ଟାକ୍ଟସ୍ ଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇ ନ ଥିବା କହିଛି ସିଏମ୍ସି। ସେହିପରି ମାଳିସାହିରୁ ରାଣୀହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ଉଠାଇ ଦେଇଛି CMC। ସଟ୍ଡାଉନ୍ର ଆଉ ଆବଶ୍ୟକତା ନଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ଏହା ବଦଳରେ ଜାରି ରହିବ ଲକ୍ଡାଉନ୍ ନିୟମ।