ବଢୁଛି କଣ୍ଟେନମେଣ୍ଟ ଜୋନ୍, କାଲି ସରୁଛି ସଟ୍ଡାଉନ୍ କଣ୍ଟ
ଭଦ୍ରକ: କରୋନାର ହଟସ୍ପଟ୍ ସାଜିଥିବା ଭଦ୍ରକ ଜିଲ୍ଲାରେ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ। ଧାମନଗର ବ୍ଲକର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲ୍ୟାଣୀ ଓ ଖଡ଼ିପଦାର ସବୁ ଗାଁ ସହ ଆନନ୍ଦପୁରର ଉତ୍ତେଇପୁର ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି।
ସେହିପରି ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ବାମନବିନ୍ଧା ଓ କାଁପଡ଼ାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବାମନବିନ୍ଧାର କାନପୁର, ଷଣ୍ଡକପୁର, ବାମନବିନ୍ଧା ଗାଁ, କାଁପଡ଼ାର କାଁପଡ଼ା, କାଁପଡ଼ାବିନ୍ଧା ଓ ତଳକାଁପଡ଼ା ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି। ଏହାକୁ ମିଶାଇ ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନରେ ଅନ୍ତର୍ଭୁକ୍ତ କରାଗଲାଣି।
ବର୍ତ୍ତମାନ ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ସେପଟେ ୩ ଜିଲ୍ଲା ତଥା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ସମ୍ପୂର୍ଣ୍ଣ ସଟଡାଉନର ଆଜି ଦ୍ୱିତୀୟ ଦିନ। ଗତକାଲି ଭଳି ଆଜି ବି ୩ଟି ଜିଲ୍ଲାରେ ଶୂନଶାନ୍ ରହିଥିଲା ରାସ୍ତାଘାଟ, ସହର ବଜାର ଏବଂ ଗାଁ ଦାଣ୍ଡ। ରାଜ୍ୟ ସରକାରଙ୍କ ଚରମ ନିଷ୍ପତ୍ତିକୁ ପାଳନ କରୁଛନ୍ତି ଏହି ୩ଟି ଜିଲ୍ଲାବାସୀ। କିଛି ଅମାନିଆଙ୍କୁ ଆଜି ବି ନିୟମ ଉଲଂଘନ ଅଭିଯୋଗରେ ଧରିଛି ପୋଲିସ। ଏହି ୩ ଜିଲ୍ଲାରେ ଜାରି ରହିଥିବା ୬୦ ଘଣ୍ଟିଆ ସଟଡାଉନ୍ ଆସନ୍ତାକାଲି ସକାଳ ୧୦ଟାରେ ଉଠିବ।