ମହାସ୍ନାନ ପରେ ଅଣସରକୁ ଗଲେ ଶ୍ରୀଜିଉ

ପୁରୀ: ସ୍ନାନଯାତ୍ରା ସାରି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବା ପରେ ଅଣସର ପିଣ୍ଡିକୁ ବାହୁଡ଼ି ଯାଇଛନ୍ତି ଶ୍ରୀଜୀଉ। ଖାଁ ଖାଁ ବଡଦାଣ୍ଡ। ଭକ୍ତଙ୍କ ଭିଡ଼ ନଥିଲା କି ସେବାୟତଙ୍କ କୋଳାହଳ ନ ଥିଲା। ଖାଁ ଖାଁ ପରିବେଶରେ ମହାସ୍ନାନ କରିଥିଲେ କାଳିଆ ଠାକୁର। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ତିନି ଠାକୁର ଏବ ଜ୍ୱରରେ ପଡ଼ିଛନ୍ତି।  ତେଣୁ ରତ୍ନବେଦିକୁ ନ ଫେରି ବାହୁଡିଛନ୍ତି ଅଣସର ଘରକୁ।

ଗତକାଲି ଗୋଟି ପହଣ୍ଡିରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି, ପରେ ପରେ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ହୋଇଥିଲା । କରୋନା କଟକଣା ଯୋଗୁଁ କଡ଼ା ସୁରକ୍ଷା ବଳୟରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଦେବସ୍ନାନ ନୀତି ସଂପନ୍ନ ହୋଇଥିଲା ।ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବାରୁ ମାର୍କେଟ୍ ଛକଠାରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ଥିଲା ।

ଆଜିଠୁ ୧୫ ଦିନ ଅଣସର ଘରେ ରହିବେ ମହାପ୍ରଭୁ । ସେଠାରେ ତିନି ଠାକୁରଙ୍କର ଚାଲିବ ଗୁପ୍ତ ସେବା। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ ।  ମନ୍ଦିର ପ୍ରବେଶ କଟକଣା ଯୋଗୁଁ ସିଂହଦ୍ୱାର ବାହାରୁ ଭକ୍ତଙ୍କ ଦର୍ଶନ ଦେଉଥିବା ପତିତପାବନଙ୍କ ସ୍ଥାନରେ ପୂଜିତ ହେବେ ନାରାୟଣଙ୍କ ପଟି ଦିଅଁ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଅଣସରରେ ଭକ୍ତ ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଥିବା ଅଲାରନାଥଙ୍କ ଦର୍ଶନ କରିଥାନ୍ତି। କିନ୍ତୁ ଏଥର ଭକ୍ତ ଅଲାରନାଥ ଦର୍ଶନରୁ ବି ବଞ୍ଚିତ ହେବେ। କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ କଟକଣା ଜାରି କରାଯାଇଛି। ଅଲାରନାଥଙ୍କ ନୀତି ହେବ କିନ୍ତୁ ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ।

 

 

You might also like