ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି ଯୋଜନା ପ୍ରସଙ୍ଗକୁ ଖଣ୍ଡନ କଲା ଶ୍ରୀମନ୍ଦିର ପ୍ରଶାସନ

ଖଣ୍ଡନ କଲା ଶ୍ରୀ ମନ୍ଦିର ପ୍ରଶାସନ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ଏକର ଜମିକୁ ବିକ୍ରି କରିବା ଲାଗି ହୋଇଥିବା ଯୋଜନା ସଂପର୍କିତ ଖବରକୁ ଶ୍ରୀମନ୍ଦିର ପ୍ରଶାସନ ଖଣ୍ଡନ କରିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ। ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କ ଜମି ସଂପର୍କିତ ସମସ୍ୟାର ସମାଧାନ ୨୦୦୩ ନୀତି ଅନୁସାରେ କରାଯିବ। ସର୍ବସାଧାରଣଙ୍କ ସୁବିଧା ଲାଗି ସ୍କୁଲ, କଲେଜ, ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା ହୋଇଛି। ୨୦୦୧ରୁ ୨୦୧୦ ମଧ୍ୟରେ ୨୯୧ ଏକର ଜମିକୁ ଏଭଳି କାର୍ଯ୍ୟରେ ଉପଯୋଗ କରାଯାଇଛି।

ଜଗନ୍ନାଥ ମନ୍ଦିର କମିଟିର ନିଷ୍ପତ୍ତି ଅନୁସାରେ ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ମଙ୍ଗଳବାର ଦିନ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ଜଗନ୍ନାଥଙ୍କ ଜମି ବିକ୍ରି ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟର ୨୪ଟି ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଥିବା ୬୦ ହଜାର ୪୨୬ ଏକର ୯୪୩ ଡିସମିଲ ଜମି ଚିହ୍ନଟ କରାଯାଇଛି ଓ ସେଥିରୁ ୩୪ ହଜାର ୮୭୬ ଏକର ୯୮୩ ଡିସମିଲ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧୀନକୁ ଆସିଛି। ଏସବୁ ଜମିକୁ ବିକ୍ରି ଲାଗି ରାଜ୍ୟ ସରକାରଙ୍କ ଅନୁମୋଦିତ ସମାନ ନୀତି ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

You might also like