ଅପରାହ୍ମ ୫ଟା ବେଳର କିଛି ଗୁରୁତ୍ୱପୂର୍ଣ୍ଣ ଖବର

ଖବର ସଂକ୍ଷେପରେ…

  • ବଢ଼ିଲା ପୋଲିସ ଅଡ଼ୁଆ, ବିଜେପି ନେତାମାନେ ଥାନା ଛାଡ଼ିବାକୁ ନାରାଜ
  • ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବ କଂଗ୍ରେସ
  • ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ
  • ପୁଣି ରିମାଣ୍ଡରେ କିଡ୍‌ନୀ କିଙ୍ଗ୍‌ପିନ୍‌ ହିମାଂଶୁ ନନ୍ଦ
  • ପଛ ଚକା ଫାଟିଯିବାରୁ ଓଲଟି ପଡିଲା ଫଳ ବୋଝେଇ ମିନିଟ୍ରକ୍
  • ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ
  • ମହିଳା କ୍ରିକେଟ ଲିଗରେ ମାଧୁରୀ ମେହେଟାଙ୍କ ସର୍ବାଧିକ ରନ୍‌
  • ବୃଦ୍ଧାଙ୍କ ଉପରେ ମାଡ଼ିଗଲା ଟ୍ରକ୍

ବଢ଼ିଲା ପୋଲିସ ଅଡ଼ୁଆ, ବିଜେପି ନେତାମାନେ ଥାନା ଛାଡ଼ିବାକୁ ନାରାଜ

ସମ୍ବଲପୁର: ଧାନ ମଣ୍ଡି ନେଇ ବିଜେପିର ଚାଷୀ ଆନ୍ଦୋଳନରେ ରୋଚକ ମୋଡ଼ ନେଇଛି। ପ୍ରତିଷେଧକ ମୂଳକ ଗିରଫଦାରୀ ପାଇଁ ପୋଲିସର ଅଡୁଆ ବଢ଼ିଛି। କାରଣ ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତାମାନେ ଏବେ ଥାନା ଛାଡ଼ିବାକୁ ରାଜି ହେଉନାହାନ୍ତି। ଥାନାରେ ଅଡ଼ି ବସିଛନ୍ତି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାଏକ ପ୍ରମୁଖ ନେତା। ସରକାର ଧାନ ଉଠାଇବା ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଥାନା ନଛାଡ଼ିବାକୁ ଜିଦ୍ ଧରିଛନ୍ତି ବିଜେପି ନେତା।

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବ କଂଗ୍ରେସ

ଭୁବନେଶ୍ୱର: ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବ କଂଗ୍ରେସ। ଆସନ୍ତା ୩୦ ତରିଖରୁ ବର୍ଷ ତମାମ ଶତବାର୍ଷିକୀ ପାଳନ ହେବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ସଦର ମହକୁମାରେ ସଭା, ପଦଯାତ୍ରା ଆୟୋଜନ ହେବ। କଂଗ୍ରେସ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସାମିଲ କରାଯିବ। ତା ସହିତ କଂଗ୍ରେସ ଛାଡ଼ିଥିବା ଲୋକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ନିରଞ୍ଜନ କହିଛନ୍ତି। ୩୦ ତାରିଖ ଗାନ୍ଧିଙ୍କ ତିରୋଧାନ ଦିବସରୁ ରାଜ୍ୟକୁ ନିଶାମୁକ୍ତ କରିବାକୁ ଆହ୍ୱାନ।ରାଜ୍ୟକୁ ନିଶାମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଚନ୍ତି ନିରଞ୍ଜନ।

SOP issued for reopening of Puri Srimandir

ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦର ସେବାୟତ ଓ ତାଙ୍କ ପରିବାରକୁ ମଧ୍ୟ ଟିକା ଦେବା ପାଇଁ ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି। ବିନା କୋଭିଡ ରିପୋର୍ଟରେ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାରୁ କରୋନା ବ୍ୟାପିବା ନେଇ ଆଶଙ୍କା କରି ସେବାୟତଙ୍କ ସମେତ ୫ ଶହ କର୍ମଚାରୀଙ୍କୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରିଛି ମନ୍ଦିର ପ୍ରଶାସନ।।

ପୁଣି ରିମାଣ୍ଡରେ କିଡ୍‌ନୀ କିଙ୍ଗ୍‌ପିନ୍‌

ଭୁବନେଶ୍ୱର: ପୁଣି ଥରେ ରିମାଣ୍ଡରେ ଯିବ କିଡ୍‌ନୀ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହିମାଂଶୁ ନନ୍ଦ। ଆଉ ଥରେ ହିମାଂଶୁଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ୍। ଏବେ ଲକ୍ଷ୍ମୀସାଗର ଥାନା ପୋଲିସ୍ ହିମାଂଶୁଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ଭୁବନେଶ୍ୱର SDJM କୋର୍ଟରେ ହିମାଂଶୁଙ୍କ ରିମାଣ୍ଡ ନେବା ପାଇଁ ଅନୁମତି ମିଳିଛି। କିଡ୍‌ନୀ କାରବାର ମାମଲାରେ ପୂର୍ବରୁ ମଧ୍ୟ ହିମାଂଶୁଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। କିଡନୀ ଲିଙ୍କ୍‌ରେ ଆଉ କିଏ କିଏ ସାମିଲ ରହିଛନ୍ତି। ଡାକ୍ତର-ହସ୍ପିଟାଲ୍- ଡୋନରଙ୍କ ଲିଙ୍କ୍ ରହିଛି କି? ସେ ଦିଗକୁ ନେଇ ତଦନ୍ତ କରାଯାଉଛି। ହିମାଂଶୁ ଲୋକଙ୍କୁ କିଡନୀ ଦେବା ନାଁରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ରହିଛି।

ପଛ ଚକା ଫାଟିଯିବାରୁ ଓଲଟି ପଡିଲା ଫଳ ବୋଝେଇ ମିନିଟ୍ରକ୍

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଏକ ଫଳ ବୋଝେଇ ମିନି ଟ୍ରକ ଓଲଟି ପଡ଼ିବାରୁ ଡ୍ରାଇଭଅ ଓ ହେଲ୍‌ପର ଆହତ ହୋଇଛନ୍ତି। ଫଳ ବୋଝେଇ ମିନିଟ୍ରକଟି ଭବାନୀପାଟଣାରୁ ନବରଙ୍ଗପୁର ଯାଉଥିବା ବେଳେ ଚିଲିଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିର ପଛ ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଆହତ ଡ୍ରାଇଭର ଓ ହେଲପରଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ରାସ୍ତା ଉପରେ ଫଳ ବିଛାଡ଼ି ହୋଇ ପଡ଼ିଯାଇଥିଲା। କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ରଙ୍କୁ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ମିଳିଛି। ଅର୍କ କୁମାରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ଅର୍କ କୁମାର ଦାସମହାପାତ୍ର ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍‌ନେସ୍ ଆଡମିନିଷ୍ଟ୍ରେସନ ବିଭାଗର ପ୍ରଫେସର ଅଛନ୍ତି।

ମହିଳା କ୍ରିକେଟ ଲିଗରେ ମାଧୁରୀ ମେହେଟାଙ୍କ ସର୍ବାଧିକ ରନ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଶେଷ ହୋଇଥିବା ଦିନିକିଆ ମହିଳା କ୍ରିକେଟ ଲିଗରେ ସର୍ବାଧିକ ସ୍କୋର କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ମାଧୁରୀ ମେହେଟା। ୫ଟି ମ୍ୟାଚ୍ ଖେଳି ଗୋଟିଏ ଶତକ ଏବଂ ୨ଟି ଅର୍ଦ୍ଧଶତକ ସହ ୨୯୯ ରନ୍‌ କରିଛନ୍ତି ମାଧୁରୀ। ଏହି ପ୍ରଦର୍ଶନ ପରେ ଭାରତୀୟ ମହିଳା କ୍ରିକେଟ ଦଳକୁ ମାଧୁରି ପୁଣିଥରେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବୃଦ୍ଧାଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଢେଙ୍କାନାଳ: ଢେଙ୍କାନାଳ ବାଜି ଚୌକ ଓଭର ବ୍ରିଜ ପାଖରେ ଟ୍ରକ ମାଡ଼ି ଯିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ବାଜିଚୌକର ତାରା ରାଉତ। ଦୁର୍ଘଟଣାରେ ତାରାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ମୃତାଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ଅଟଳ ରହିଛନ୍ତି। ତେବେ ସଦର ତହସିଲଦାର ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ସହର ଭିତରେ ସକାଳ ୬ଟାରୁ ରାତି ୧୦ଟା ଯାଏ ଭାରି ଯାନ ଚଳାଚଳ ବନ୍ଦ ଥିବାବେଳେ, ଦିନରେ କିପରି ଟ୍ରକ ପଶିଲା, ସେନେଇ ପ୍ରଶ୍ନ ଉଠିଛି।

You might also like