ବୈତରଣୀ ଗର୍ଭରେ ଦୃଶ୍ୟମାନ ହେଲେ ବିରାଟ ଶିବ ଲିଙ୍ଗ

ନଈ ଭିତରେ ଭଗବାନ

ଯାଜପୁର: ବୈତରଣୀ ନଦୀ ଗର୍ଭରୁ ଠାବ ହେଲା ବିରାଟ ଶିବ ଲିଙ୍ଗ। ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତର ବୈତରଣୀ ନଦୀ ଭିତରେ ଶିବ ଲିଙ୍ଗ ସହ ଦୁଇଟି ପୁରାତନ ମନ୍ଦିରର ଚୂଡା ସାମ୍ନାକୁ ଆସିଛି। ଶିବ ଲିଙ୍ଗ ସ୍ପଷ୍ଟ ଭାବେ ଦେଖାଯିବା ପରେ ଆଜିଠୁ ଲୋକେ ପୂଜାର୍ଚ୍ଚନା ବି ଆରମ୍ଭ କରିଦେଇଛନ୍ତି। ଠାବ ହୋଇଥିବା ଶିବ ଲିଙ୍ଗ ଓ ପ୍ରାଚୀନ ମନ୍ଦିର, ଭୌମ ବଂଶ ସମୟର ବୋଲି ଗବେଷକ କହିଛନ୍ତି। ସେପଟେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ପରିସରରେ ଖନନ ପାଇଁ ଦାବି ହୋଇଛି।

ବୈତରଣୀ ନଦୀ ଗର୍ଭରେ ଶହ ଶହ ବର୍ଷର ଶିବ ଲିଙ୍ଗ। ବାଲିରେ ପୋତି ହୋଇ ରହିଛି ପ୍ରାଚୀନ କୀର୍ତ୍ତିରାଜି। ବିରାଟ ଶିବ ଲିଙ୍ଗ ସହ ପାଣି ଭିତରେ ଠାବ ହୋଇଛି କଳିଙ୍ଗ ଇତିହାସର ମୁକସାକ୍ଷୀ ପାଲଟିଥିବା ଦୁଇଟି ପ୍ରାଚୀନ ମନ୍ଦିରର ଚୂଡା। ଗତ କିଛି ବର୍ଷ ହେଲା ନଦୀ ଶଯ୍ୟାରୁ ବାଲି ଉଠୁଥିଲା, ଫଳରେ ନଦୀଶଯ୍ୟା ଗଭୀର ହେବା ସହ ଖରା ଦିନେ ପାଣି କମିଯିବାରୁ ପ୍ରଥମେ ଶିବରାତ୍ରି ଦିନ ଲିଙ୍ଗ ଓ ମନ୍ଦିରର ଚୂଡା ଆଶିକ ଭାବେ ଦେଖାଯାଇଥିଲା। ଧିରେ ଧିରେ ନଦୀଗର୍ଭରୁ ପାଣି କମିବା ପରେ ସାମ୍ନାକୁ ଆସିଥିଲା ଶିବ ଲିଙ୍ଗର ସ୍ପଷ୍ଟ ଚିତ୍ର। ଏହାପରେ ଶିବ ଲିଙ୍ଗ ପାଖରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା ଓ ଅଭିଷେକ। ଏହାସହ ସହ ନାମ ସଂକୀର୍ତ୍ତନ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଆହୁରି ପଢନ୍ତୁ : ନଦୀରେ ପାଣି ନାହିଁ, ଫସଲ କେମିତି କରିବ ସେନେଇ ଚିନ୍ତାରେ ଚାଷୀ

ଯାଜପୁର ଜିଲ୍ଲା ତଳିହା ପଂଚାୟତରେ ଥିବା ବୈତରଣୀର ନଦୀ ଗର୍ଭରେ ଅନେକ ପ୍ରାଚୀନ ମନ୍ଦିର ଥିବା ଅନୁମାନ କରାଯାଉଛି। କାରଣ, ମିଳିଥିବା ଶିବଲିଙ୍ଗ ପାଖରେ ରହିଛି ପ୍ରାଚୀନ ଯୁଗର ସିଦ୍ଧେଶ୍ୱର ମନ୍ଦିର। ମନ୍ଦିର ଆଖାପାଖରେ ଶହ ଶହ ଶିବ ଲିଙ୍ଗ ବି ରହିଛି। ତେବେ ଏତେ ବଡ ଶିବ ଲିଙ୍ଗ ଠାବ ହେବା ପ୍ରଥମ ଘଟଣା। ସେପଟେ ଗବେଷକ କହିଛନ୍ତି, ମିଳିଥିବା ପ୍ରାଚୀନ କିର୍ତ୍ତୀରାଜି , ଭୌମ ବଂଶ ସମୟର। ପ୍ରାୟ ନବମ-ଦଶମ ଶତାବ୍ଦୀର। ଶିବ ଲିଙ୍ଗ ଭିତରେ ଥିବା ଶିଳାଲେଖ ଗଙ୍ଗ ବଂଶ ସମୟର , ଯାହାକି ଚତୁର୍ଥ ନରସିଂହ ଦେବଙ୍କର ବୋଲି ଗବେଷକ ମତ ରଖିଛନ୍ତି । ଶିବ ଲିଙ୍ଗ ଓ ପ୍ରାଚୀନ ମନ୍ଦିର ମିଳିଥିବା ସ୍ଥାନରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ କରାଗଲେ ଆହୁରି ଅନେକ ପ୍ରାଚୀନ କୀର୍ତ୍ତିରାଜିର ସନ୍ଧାନ ମିଳିପାରିବ ବୋଲି ମତ ପ୍ରକାଶ ପାଇଛି।

ଯାଜପୁରରୁ ଗୁଲାମ ଗସଙ୍କ ସହ ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁଙ୍କ ରିପୋର୍ଟ 

You might also like