• translate
Sarbeswar
  • ଶିବମୟ ସାରା ଜଗତ
  • କୋଭିଡ ପାଇଁ ଫିକା ପଡ଼ିଲା ଶିବରାତ୍ରୀ
  • କୋଭିଡ କଟକଣାରେ ମହାଦେବଙ୍କ ଆରାଧନା
  • ସାମାଜିକ ଦୂରତ୍ୱରେ ଦୀପ ପ୍ରଜ୍ଜ୍ୱଳନ

ଭୁବନେଶ୍ୱର: କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ ଭଳି ଏଥର ସେତେଟା ଗହଳି ଚହଳି ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ମଧ୍ୟରେ ପାଳନ କରୁଛନ୍ତି ଶିବରାତ୍ରି। ସାମାଜିକ ଦୂରତା ରକ୍ଷା କରି ଜାଳିଛନ୍ତି ଜାଗର ଦୀପ ଆଉ ଅପେକ୍ଷା କରିଛନ୍ତି ମହାଦୀପ ଦର୍ଶନକୁ।

ମହାଦେବଙ୍କ ପାଇଁ ମହା ଆରାଧନା ଚାଲିଛି। ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ହୋଇଛି ଶ୍ରୀଲିଙ୍ଗରାଜଙ୍କ ପୀଠ। କୋଭିଡ୍ କଟକଣା ଭିତରେ ଭୋରରୁ ପୀଠରେ ଚାଲିିଛି ନୀତିକାନ୍ତି। ତାହାସହ ଭକ୍ତଙ୍କ ଭିଡ଼ ବି ଜମିଛି ମନ୍ଦିରରେ। ନିର୍ଜଳା ଉପବାସ ରଖିବା ସହ ଦୀପ ଜାଳି ଶିବଙ୍କ ଉପାସନା କରୁଛନ୍ତି ଶ୍ରଦ୍ଧାଳୁ। କେତେବେଳେ ମହାଦେବଙ୍କ ମନ୍ଦିରକୁ ଦୀପ ଉଠିବ ତାହାକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଏଠାରେ ପାଳନ କରୁଛନ୍ତି ଜାଗର। ଆଉ ରାତି ୧୦ଟାରେ ମନ୍ଦିରକୁ ମହାଦୀପ ଉଠିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଶୈବପୀଠରେ ବି ଭକ୍ତଙ୍କ ଗହଳି ଲାଗିଛି। ଭାବବିହ୍ୱଳ ପରିବେଶ ଭିତରେ ଚଳଚଞ୍ଚଳ ଶିବାଳୟ। ଏଠି ଭକ୍ତଙ୍କ ରହିଛି ଭିନ୍ନ ଆବେଗ। ମାନସିକ ରଖି କିଏ ନୀଳ ପୋଖରୀରେ ବୁଡ଼ ପକାଇ ଦଣ୍ଡ ପ୍ରଣାମ କରୁଛନ୍ତି ତ ଆଉ କିଏ ମନ୍ଦିର ବେଢ଼ା ପରିକ୍ରମା କରୁଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏଠାରେ ଦୀପ ଜାଳିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଠାରେ ଭୋର୍ ୪ଟା ୧୫ରେ ମହାଦୀପ ଉଠିବ ବୋଲି ସୂଚନା ରହିଛି।

କରୋନା କଟକଣା ଯୋଗୁଁ ରାଜ୍ୟର ଅଧିକାଂଶ ଶିବାଳୟରେ ଭକ୍ତଙ୍କ ବିଶେଷ ଗହଳି ଚହଳି ନାହିଁ। କଟକ ଜିଲ୍ଲାର ବାବା ଧବଳେଶ୍ୱର ପୀଠରେ ବି ଭକ୍ତଙ୍କ ଗହଳି ଦେଖାଯାଉନାହିଁ। ଆସନ୍ତାକାଲି ସକାଳ ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଥିବାରୁ ଝୁଲାପୋଲ କି ମନ୍ଦିର ବେଢ଼ାରେ ଏଥର ଗହଳି ଚହଳି ଦେଖିବାକୁ ମିଳିନାହିଁ।

ସେପଟେ ପୁରୀରେ ବି କଡ଼ା କଟକଣା ଭିତରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁା ଏଠି ଭୋର୍ ୪ଟାରେ ଉଠିବ ମହାଦୀପ ବୋଲି ଜଣାଯାଇଛି। ଢେଙ୍କାନାଳର କପିଳାସ ପୀଠ, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ବଲାଙ୍ଗିର ଜିଲ୍ଲାର ହରିଶଙ୍କର ଆଦି ଶିବାଳୟଗୁଡ଼ିକରେ କଟକଣା ମଧ୍ୟରେ ପାଳନ ହେଉଛି ହେଉଛି ଶିବରାତ୍ରି।

ସେପଟେ ତାମିଲନାଡୁର କୋଏମ୍ବାଟୁର, ରାମେଶ୍ୱରମ, ଗୋରଖପୁର, କେଦାରନାଥରୁ କାଶ୍ମୀର ଯାଏଁ ସବୁଠି ଦେଖିବାକୁ ମିଳିଛି ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ। ତେବେ କେତେବେଳେ ମନ୍ଦିରକୁ ମହାଦୀପ ଉଠିବ ସେହି ସମୟକୁ ଅପେକ୍ଷା କରିଛି ସାରା ଜଗତ।

 

Other Stories