କାହା ପାଇଁ କର୍ମ ନିଯୁକ୍ତି ଯୋଜନା? ପ୍ରାଚୀର ସୌନ୍ଦର୍ଯ୍ୟକରଣରେ ଦୁର୍ନୀତି

SHG ମହିଳାଙ୍କ ବଦଳରେ ଠିକା ସଂସ୍ଥାକୁ ମିଳିଛି ଦାୟିତ୍ୱ,ଟଙ୍କା ହଡ଼ପର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : କରୋନା ସଙ୍କଟକୁ ଦେଖି ସହରାଞ୍ଚଳରେ ଶ୍ରମଭିତ୍ତିକ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ସହରାଞ୍ଚଳ ଓ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ କର୍ମ ସଂସ୍ଥାନ । ଏହି ଯୋଜନା ଅନୁଯାୟୀ, ବାଲେଶ୍ୱର ସହରରେ ଅଧିକାଂଶ ପାଚେରୀକୁ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟର ଗାଥା ଆଧାରରେ ତିଆରି କରାଯାଇଥିଲା ଆକର୍ଷଣୀୟ ଚିତ୍ରକଳା । ଯାହାର ଦାୟିତ୍ୱ ଦିଆଯାଇଥିଲା ମିଶନ ଶକ୍ତିର ମହିଳା ସଂଗଠନକୁ । କିନ୍ତୁ ଏଥିରେ SHGର ନାଁ ଗନ୍ଧ ନାହିଁ । କିଛି ଠିକା ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦେଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି ।

କଥା କହୁଛି ରଙ୍ଗତୂଳୀ, ଜୀବନ୍ତ ହେଉଛି ପ୍ରତିଟି ଚିତ୍ର । କରୋନାକୁ ହରାଇବାର ଉପାୟଠୁ ଆରମ୍ଭ କରି ଟ୍ରାଫିକ୍ ସଚେତନତା ଯାଏଁ, ଭଳିକି ଭଳି ରଙ୍ଗରେ ବାଲେଶ୍ୱର ସହରର କାନ୍ଥବାଡ଼ରେ ଅଙ୍କାଯାଉଛି ଚିତ୍ର । ହେଲେ ଏଭଳି କଳାଚାତୁରୀର ଚମତ୍କାରିତା ଭିତରେ ଯେ ଲୁଚି ରହିଥିବ ଦୁର୍ନୀତି, ଭାବିଲେ ଆଶ୍ଚଯର୍ୟ ଲାଗିବ । ରାଜ୍ୟ ସରକାରଙ୍କ ସହରାଞ୍ଚଳରେ ଶ୍ରମଭିତ୍ତିକ କର୍ମ ନିଯୁକ୍ତି ଯୋଜନା ଅନୁଯାୟୀ ନିଷ୍ପତ୍ତି ହୋଇଥିଲା, ଏହି ସୌନ୍ଦର୍ଯ୍ୟକରଣ କାମ ବସ୍ତିବାସିନ୍ଦା ସଂଘ କିମ୍ବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କରାଯିବ । କିନ୍ତୁ ୧୬ ନମ୍ବର ଓ୍ୱାର୍ଡର ମାହେଶ୍ୱରୀ ସ୍ୱୟଂ ସହାୟିକା ଗ୍ରୁପର ସଭାନେତ୍ରୀ ଦୀପ୍ତିମୟୀ ମହାପାତ୍ର ପାଖରେ ଏନେଇ କୌଣସି ଖବର ନଥିବା ସେ ଅଭିଯୋଗ କରିଛନ୍ତି । ଏ ବିଷୟରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବି ଜଣାଇନାହାଁନ୍ତି ବୋଲି କହିଛନ୍ତି ଦୀପ୍ତିମୟୀ । ବରଂ ମନଗଢ଼ା ଗ୍ରୁପ୍ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

କେବଳ ୧୬ ନମ୍ବର ଓ୍ୱାର୍ଡରେ ନୁହେଁ, ବାଲେଶ୍ୱର ସହରର ଏକାଧିକ ଓ୍ୱାର୍ଡରେ ଏଭଳି ଅଭିଯୋଗ ହେଉଛି । ଏପରିକି କାର୍ଯ୍ୟ ଆରମ୍ଭରୁ ନିୟମ ଅନୁଯାୟୀ ନାଗରିକ ଫଳକ ସହ କେତେ ଟଙ୍କାର କାର୍ଯ୍ୟ, କାହା ନାଁରେ କାର୍ଯ୍ୟାଦେଶ, ସେସବୁ ଲେଖାଯିବା କଥା । କିନ୍ତୁ ସବୁ ନିୟମକୁ ଫୁ କରି କିଛି ଘରୋଇ ଏଜେନ୍ସି ମାଧ୍ୟମରେ ଓ୍ୱାଲ୍ ପେଣ୍ଟିଂ କରି ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଉଠିଛି । କେବଳ ଯାହା ୧୬ ନମ୍ବର ଓ୍ୱାର୍ଡ ପାଇଁ ବାଲେଶ୍ୱର ମେଡିକାଲ, ପରମିଟ ପଡିଆ, ଜେଲ ରୋଡରେ ସାଢେ ୪ଲକ୍ଷରୁ ଅଧିକ ଟଙ୍କାର ଓ୍ୱାଲପେଣ୍ଟିଂ ହୋଇଥିବା ଉଲ୍ଲେଖ ରହିଛି ।

ବେରୋଜଗାରଙ୍କୁ କର୍ମସଂସ୍ଥାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଶ୍ରମ ଭିତ୍ତିକ କର୍ମ ନିଯୁକ୍ତି ଯୋଜନା । ଯୋଜନା ଅନୁଯାୟୀ ବାଲେଶ୍ୱର ସହରର ୩୧ଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡର କାନ୍ଥବାଡ଼କୁ ଏଭଳି ଚିତ୍ର ଆଙ୍କି ସୁନ୍ଦର କରିଥାନ୍ତେ ଚିତ୍ରଶିଳ୍ପୀ । ଯାହାର ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟିକାଙ୍କୁ ଦେବାକୁ ନିଷ୍ପତ୍ତି ବି ହୋଇଥିଲା । ୨ଲକ୍ଷରୁ ଅଧିକ ଟଙ୍କାର କାମ ପାଇଁ ସାଢେ ୭ ପ୍ରତିଶତ ଦେବାକୁ ଯୋଜନା ରହିଥିଲା । କିନ୍ତୁ ସଂପୃକ୍ତ ଏସ୍ଏଚସି ଗୁଡ଼ିକର ଅଜାଣତରେ କାମ କରି ଏବେ ଏନ୍ଓସି ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଥିବାବେଳେ ସମଗ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।

 

You might also like